ମୁୁମ୍ବାଇ: ମୁମ୍ବାଇ ପାଇଁ ରଣଜୀ ଟ୍ରଫି ୨୦୨୪-୨୫ ଖେଳୁଥିବା ଶାର୍ଦ୍ଦୁଳ ଠାକୁର ହ୍ୟାଟ୍ରିକ ନେଇ କମାଲ୍ କରିଛନ୍ତି । ରଣଜୀ ଟ୍ରଫିର ଗ୍ରୁପ ପର୍ଯ୍ୟାୟର ମୁକାବିଲା ଗୁରୁବାରଠୁ ଖେଳା ଯାଉଛି । ଏହି ପର୍ଯ୍ୟାୟରେ ମୁମ୍ବାଇ ଓ ମେଘାଳୟ ମଧ୍ୟରେ ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚରେ ହ୍ୟାଟ୍ରିକ ନେଇ ବୋଲିଂ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ଭାରତୀୟ ଦଳର ଦ୍ୱାର ବାଡେଇଛନ୍ତି ।
ମ୍ୟାଚରେ ମୁମ୍ବାଇ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମୁମ୍ବାଇ ବୋଲରଙ୍କ ଘାତକ ବୋଲିଂର ସାମ୍ନା କରି ନ ପାରି ମେଘାଳୟ ୮୬ ରନରେ ଅଲଆଉଟ୍ ହୋଇଛି । ଇନିଂସର ତୃତୀୟ ଓଭରରେ ଶାର୍ଦ୍ଦୁଳ ଠାକୁର କମାଲ୍ କରି ହ୍ୟାଟ୍ରିକ ୱିକେଟ୍ ନେଇଛନ୍ତି । ଶାର୍ଦ୍ଦୁଳ ଓଭରର ଚତୁର୍ଥ, ପଞ୍ଚମ ଓ ଷଷ୍ଠ ବଲରେ ୱିକେଟ୍ ନେଇଛନ୍ତି ।
ଶାର୍ଦ୍ଦୁଳ ଠାକୁର ମେଘାଳୟର ବ୍ୟାଟର ଚାଲଚନ୍ଦ ଅନିରୁଦ୍ଧ, ସୁମିତ କୁମାର ଓ ଯଶକିରତ ସିଂଙ୍କୁ ନିଜର ଶିକାର କରିଥିଲେ । ଏହି ତିନି ବ୍ୟାଟର ଖାତା ବି ଖୋଲି ପାରି ନ ଥିଲେ । ଏହି ପରି ମେଘାଳୟ ମାତ୍ର ୨ ରନ ସ୍କୋରରେ ୫ ୱିକେଟ୍ ହରାଇଥିଲା ।
ପ୍ରଥମ ଇନିଂସରେ ୮୬ ରନରେ ଅଲଆଉଟ୍ ହୋଇଥିବା ମେଘାଳୟ ପାଇଁ ନମ୍ବର ୧୦ରେ ବ୍ୟାଟିଂ କରିଥିବା ହିମାନ ଫୁକନ ୨୪ ବଲରୁ ୩ ଚୌକା ଓ ୨ ଛକା ସହ ସର୍ବାଧିକ ୨୮ ରନ କରିଥିଲେ । ମୁମ୍ବାଇ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ସର୍ବାଧିକ ୪ ୱିକେଟ୍ ନେଇଛନ୍ତି ।
ସୂଚନାଯୋଗ୍ୟ, ଭାରତ ପାଇଁ ତିନି ଫର୍ମାଟରେ ଖେଳିଥିବା ଶାର୍ଦ୍ଦୁଳ ଠାକୁର ଅଚାନକ ଭାରତୀୟ ଦଳରୁ ଦୂରରେ ଅଛନ୍ତି । ସେ ଭାରତୀୟ ଦଳ ପାଇଁ ଶେଷ ମୁକାବିଲା ୨୦୨୩ ଡିସେମ୍ବରରେ ଖେଳିଥିଲେ । ଏହା ପରେ ଶାର୍ଦ୍ଦୁଳ ଭାରତୀୟ ଦଳରେ ସ୍ଥାନ ପାଇ ପାରି ନ ଥିଲେ । ହେଲେ ଏବେ ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରି ପୁଣି ଥରେ ଭାରତୀୟ ଦଳର ଦ୍ୱାର ବାଡେଇଛନ୍ତି ।