ରାଜକୋଟ୍: ବରୁଣ ଚକ୍ରବର୍ତ୍ତୀଙ୍କ ପାଞ୍ଚ ୱିକେଟ୍ ସଫଳତା ପରେ ବି ଭାରତୀୟ ବ୍ୟାଟରଙ୍କ ବିଫଳତା କାରଣରୁ ରାଜକୋଟରେ ଖେଳା ଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ପରାଜିତ ହୋଇଛି ଭାରତ । ପ୍ରଥମ ଦୁଇଟି ମ୍ୟାଚ୍ ହାରି କର ବା ମର ସ୍ଥିତିରେ ଥିବା ଭ୍ରମଣକାରୀ ଇଂଲଣ୍ଡ ଆଜି ସବୁ ବିଭାଗରେ ଭଲ ପ୍ରଦର୍ଶନ କରି ଭାରତକୁ ୨୬ ରନରେ ହରାଇଛି । ଏଥିସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ୨-୧କୁ ଆସିଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ବେନ ଡକେଟଙ୍କ ବିସ୍ଫୋରକ ୫୧ ରନ ଓ ଲିୟାମ ଲିଭିଙ୍ଗଷ୍ଟୋନଙ୍କ ଦାୟିତ୍ୱପୂର୍ଣ୍ଣ ୪୩ ରନ ବଳରେ ୯ ୱିକେଟ ହରାଇ ୧୭୧ ରନ କରିଥିଲା । ଜବାବରେ ଭାରତ ୯ ୱିକେଟ୍ ବିନିମୟରେ ୧୪୫ ରନ କରି ପାରିଥିଲା । ଦଳ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୪୦ ରନ କରିଥିଲେ ।
୧୭୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତ ଆରମ୍ଭରୁ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା । ସଞ୍ଜୁ ସାମସନ ୩ ରନ କରି ଆଉଟ୍ ହୋଇଥିଲେ। ଅଭିଷେକ ୫ ଚୌକା ସହ ୨୪ ରନ କରିଥିଲେ ହେଁ ବଡ ଇନିଂସ ଖେଳି ପାରି ନ ଥିଲେ । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପୁଣି ନିରାଶ କରି ୧୪ ରନ କରି ଆଉଟ୍ ହୋଇଥିଲେ। ଗତ ଦୁଇଟି ମ୍ୟାଚ୍ର ହିରୋ ତିଳକ ବର୍ମା ୧୮ ରନ ଆଉଟ୍ ହେବା ଭାରତକୁ ବଡ଼ ଝଟକା ଲାଗିଥିଲା। ଓ୍ଵାଶିଂଟନ ସୁନ୍ଦର କ୍ରିଜରେ ତିଷ୍ଠି ପାରି ନ ଥିଲେ।
ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ୍ କିଛି ସମୟ କ୍ରିଜରେ ତିଷ୍ଠି ଷଷ୍ଠ ଓ୍ଵିକେଟ୍ ପାଇଁ ୩୮ ରନ ଯୋଡ଼ି ଭାରତର ବିଜୟ ଆଶା ଉଜ୍ଜିବୀତ ରଖିଥିଲେ। ଅକ୍ଷର ପଟେଲ୍ ୧୫ ରନ କରି ପାଭିଲିୟନ ଫେରିଥିଲେ। ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍ ହେବା ଭାରତର ବିଜୟ ଆଶା ମଉଳିଥିଲା। ପାଣ୍ଡ୍ୟା ୪୦ ରନ କରି ଆଉଟ୍ ହୋଇଥିଲେ। ଜୁରେଲ ୨ ରନ ଓ ମହମ୍ମଦ ଶାମି ୭ ରନ କରି ଆଉଟ୍ ହେବା ସହ ଭାରତ ୯ ଓ୍ଵିକେଟ୍ ହରାଇ ୧୪୫ ରନରେ କରିଥିଲା ।
ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପକ୍ଷରୁ ବେନ ଡକେଟଙ୍କ ବିସ୍ଫୋରକ ୫୧ ରନ ଓ ଲିୟାମ ଲିଭିଙ୍ଗଷ୍ଟୋନ ୪୩ ରନ କରିଥିଲେ । ମାର୍କ ଉଡ ଓ ଆଦିଲ ରଶିଦ ୧୦ ରନ ଲେଖାଏଁ କରିଥିଲେ । ଭାରତ ପକ୍ଷରୁ ବୋଲିଂରେ ବରୁଣ ଚକ୍ରବର୍ତ୍ତୀ ୪ ଓଭରରେ ମାତ୍ର ୨୪ ରନ ଦେଇ ୫ ସଫଳତା ହାସଲ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୨ଟି ୱିକେଟ୍ ମିଳିଥିଲା ।