ନୂଆଦିଲ୍ଲୀ: ରାଜକୋଟରେ ଖେଳା ଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଭାରତ ଭ୍ରମଣକାରୀ ଇଂଲଣ୍ଡଠୁ ପରାଜୟର ମୁହଁ ଦେଖିବାକୁ ପଡିଛି । ଇଂଲଣ୍ଡ ଏହି ମ୍ୟାଚକୁ ୨୬ ରନରେ ଜିତି ନେଇଛି । ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୪୦ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି । ହେଲେ ସେ ଦଳକୁ ବିଜୟୀ କରାଇ ପାରି ନାହାନ୍ତି । ଯଦି ପାଣ୍ଡ୍ୟା ଶେଷ ପର୍ଯ୍ୟନ୍ତ କ୍ରିଜରେ ରହିଥାନ୍ତେ ତେବେ ଦଳ ମ୍ୟାଚ୍ ଜିତି ପାରିଥାନ୍ତା । ମାତ୍ର ତାଙ୍କର ଗୋଟିଏ ଭୁଲ୍ ପୂରା ଦଳ ଉପରେ ଭାରି ପଡିଲା । ପାଣ୍ଡ୍ୟା ମ୍ୟାଚରେ ଗୋଟିଏ ସିଙ୍ଗଲ ରନ ନେଇ ନ ଥିଲେ ।
ହାର୍ଦ୍ଦିକ ପାଣ୍ଡ୍ୟା ଭାରତ ପାଇଁ ନମ୍ବର ପାଞ୍ଚରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ । ସେ ୩୫ ବଲର ସମ୍ମୁଖୀନ ହୋଇ ୪୦ ରନ କରିଥିଲେ । ଏହି ଇନିଂସରେ ୨ ଛକା ଓ ୧ ଚୌକା ସାମିଲ ଥିଲା । ପାଣ୍ଡ୍ୟା ୧୯ ତମ ଓଭରର ପ୍ରଥମ ବଲରେ ଆଉଟ୍ ହୋଇଥିଲେ । ତାଙ୍କୁ ଜିମି ଓଭରଟନ ପାଭିଲିୟନର ରାସ୍ତା ଦେଖାଇଥିଲେ । ପାଣ୍ଡ୍ୟା ସହିତ ଅନ୍ୟ ପାଶ୍ୱର୍ରେ ଧ୍ରୁବ ଜୁରେଲ ଛିଡା ହୋଇଥିଲେ । ଜୁରେଲ ୧୮ତମ ଓଭରର ଶେଷ ବଲରେ ସଟ୍ ଖେଳି ଏକ ରନ ନେବାକୁ ଚେଷ୍ଟା କରିଥିଲେ । ମାତ୍ର ହାର୍ଦ୍ଦିକ ପାଣ୍ଡ୍ୟା ଦୌଡି ନ ଥିଲେ । ପାଣ୍ଡ୍ୟା ୧୯ତମ ଓଭରର ପ୍ରଥମ ବଲରେ ଜୋସ ବଟଲରଙ୍କୁ କ୍ୟାଚ୍ ଦେଇ ଆଉଟ୍ ହୋଇଥିଲେ । ଯଦି ସେ ଶେଷ ପର୍ଯ୍ୟନ୍ତ କ୍ରିଜରେ ରହିଥାନ୍ତେ ତେବେ ଭାରତ ମ୍ୟାଚ୍ ନିଜ ନାମରେ କରି ପାରିଥାନ୍ତା ।
ଇଂଲଣ୍ଡ ରାଜକୋଟରେ ଭାରତକୁ ୧୭୨ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ମାତ୍ର ଭାରତ ୧୪୫ ରନରେ ସୀମିତ ରହିଥିଲା । ଭାରତୀୟ ବ୍ୟାଟରେ ମ୍ୟାଚରେ ଅତି ସାଧାରଣ ପ୍ରଦର୍ଶନ କରିଥିଲେ । ଦଳର ଆରମ୍ଭ ବହୁତ ନୈରାଶ୍ୟଜନକ ଥିଲା । ଓପନର ସଞ୍ଜୁ ସାମସନ ମାତ୍ର ୩ ରନ କରିଥିଲେ । ଅଭିଷେକ ଶର୍ମା ୧୪ ବଲରୁ ୨୪ ରନ, ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୧୪ ରନ କରି ପୁଣି ଥରେ ନିରାଶ କରିଥିଲେ । ତିଳକ ବର୍ମା ୧୮ ରନ କରି ଆଉଟ୍ ହେବା ଦଳକୁ ମହଙ୍ଗା ପଡିଥିଲା ।