ନୂଆଦିଲ୍ଲୀ: ଭାରତର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା ଆଇସିସି ପୁରୁଷ କ୍ରିକେଟ୍ର ଅଫ୍ ଦ ଇୟର ଆଓ୍ଵାର୍ଡ ଜିତି ଭାରତ ପାଇଁ ଇତିହାସ ରଚିଛନ୍ତି। ଏହି ଆଓ୍ଵାର୍ଡ ଜିତିଥିବା ବୁମରାଙ୍କୁ ପ୍ରତିଷ୍ଠିତ ସାର ଗାରଫିଲ୍ଡ ସୋବର୍ସ ପୁରସ୍କାରରେ ସମ୍ମାନିତ କରାଯିବ। ଏହି ଆଓ୍ଵାର୍ଡ ଜିତିବାରେ ବୁମରା ପ୍ରଥମ ଭାରତୀୟ ଦ୍ରୁତ ବୋଲର ହେବାର ଉପଲବ୍ଧି ହାସଲ କରିଛନ୍ତି। ଗତକାଲି ବୁମରା ଆଇସିସି ପୁରୁଷ ଟେଷ୍ଟ କ୍ରିକେଟର ଅଫ ଦ ଇୟର ଆଓ୍ଵାର୍ଡ ଜିତିଥିଲେ। ବୁମରା ୨୦୨୪ରେ ଚମତ୍କାର ପ୍ରଦର୍ଶନ କରି ସର୍ବାଧିକ ୮୬ ଓ୍ଵିକେଟ୍ ଅକ୍ତିକାର କରିଥିଲେ। ସେ ଟେଷ୍ଟ କ୍ରିକେଟ୍ରେ ୭୧ ଓ୍ଵିକେଟ୍ ନେଇଥିଲେ।
୩୧ ବର୍ଷୀୟ ବୁମରା ଅଷ୍ଟ୍ରେଲିଆର ବ୍ୟାଟର ଟ୍ରେଭିସ୍ ହେଡ, ଇଂଲଣ୍ଡର ଜୋ ରୁଟ୍ ଓ ଯୁବ ବ୍ୟାଟର ହ୍ୟାରି ବ୍ରୁକଙ୍କୁ ପଛରେ ପକାଇ ଆଇସିସି ପୁରୁଷ କ୍ରିକେଟ୍ର ଅଫ୍ ଦ ଇୟର ଆଓ୍ଵାର୍ଡ ଜିତିଛନ୍ତି। ଏହି ଆଓ୍ଵାର୍ଡ ବର୍ଷରେ ସବୁଠୁ ଦମଦାର ପ୍ରଦର୍ଶନ କରିଥିବା କ୍ରିକେଟ୍ରଙ୍କୁ ପ୍ରଦାନ କରାଯାଏ। ଏହି ଆଓ୍ଵାର୍ଡର ନାମ ଦୁନିଆର ମହାନ କ୍ରିକେଟରଙ୍କ ମଧ୍ୟରୁ ଏକ ଗାରଫିଲ୍ଡ ସୋବର୍ସ ନାମରେ ନାମିତ କରାଯାଇଛି। ଓ୍ଵେଷ୍ଟଇଣ୍ଡିଜର ପୂର୍ବତନ ଅଲରାଉଣ୍ଡର ଗ୍ୟାରି ସୋବର୍ସ ନାଁରେ ପରିଚିତ।
୨୦୧୬ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ବୁମରା ପ୍ରଥମ ଥର ଏହି ପୁରସ୍କାର ଜିତିଛନ୍ତି। ସେ ଏହି ଆଓ୍ଵାର୍ଡ ଜିତିବାରେ ପଞ୍ଚମ ଭାରତୀୟ କ୍ରିକେଟର। ବୁମରାଙ୍କ ପୂର୍ବରୁ ଏହି ପୁରସ୍କାର ରାହୁଲ ଦ୍ରାବିଡ଼(୨୦୦୪), ସଚିନ ତେନ୍ଦୁଲକର(୨୦୧୦), ରବିଚନ୍ଦ୍ରନ ଅଶ୍ଵିନ(୨୦୧୬) ଓ କୋହଲି(୨୦୧୭,୨୦୧୮) ଜିତିଛନ୍ତି। କୋହଲି ଏହି ପ୍ରତିଷ୍ଠିତ ଆଓ୍ଵାର୍ଡ ଦୁଇ ଥର ଜିତିବାରେ ଏକମାତ୍ର ଭାରତୀୟ ଖେଳାଳି। ଆଇସିସି ବୁମରାଙ୍କୁ ୨୦୨୪ର ଟେଷ୍ଟ ଦଳରେ ବି ସାମିଲ୍ କରିଥିଲା। ବୁମରା ସଂପ୍ରତି ଆଇସିସି ମାନ୍ୟତାରେ ନମ୍ବର ଓ୍ଵାନ ଟେଷ୍ଟ ବୋଲର।
ବୁମରା ଗତ ବର୍ଷ ନିଜର ଘାତକ ବୋଲିଂରେ ବିପକ୍ଷ ବ୍ୟାଟରଙ୍କୁ ବେଶ ନୟାନ୍ତ କରିଥିଲେ। ସେ ୨୦୧୪ରେ ୧୩ଟି ଟେଷ୍ଟ ଖେଳି ୧୪.୯୨ ହାରରେ ଏବଂ ୩୦.୧୬ ଷ୍ଟ୍ରାଇକ ରେଟ୍ରେ ୭୧ ଓ୍ଵିକେଟ୍ ଦଖଲ କରିଛନ୍ତି। ସେ ଗତ ବର୍ଷ ସର୍ବାଧିକ ଟେଷ୍ଟ ଓ୍ଵିକେଟ୍ ହାସଲକାରୀ ବୋଲର ରହିଛନ୍ତି। ସେ ୪ ଥର ୪ ଓ୍ଵିକେଟ୍ ଏବଂ ୫ ଥର ୫ ଓ୍ଵିକେଟ୍ ହାସଲ କରିଥିଲେ। ଏହି ଡାହାଣହାତୀ ବୋଲର ବର୍ଡର-ଗାଭାସ୍କର ଟ୍ରଫିରେ ମଧ୍ୟ ଘାତକ ବୋଲିଂ କରି ୫ଟି ଟେଷ୍ଟରେ ୩୨ ଓ୍ଵିକେଟ୍ ହାସଲ କରିଥିଲେ।