ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ନିରନ୍ତର ଜାରି ରହିଛି । ସଂଖ୍ୟା ଲଘୁମାନଙ୍କୁ ବାରମ୍ବାର ଆକ୍ରମଣର ଟାର୍ଗେଟ କରାଯାଉଛି । ବିକ୍ଷୋଭକାରୀ ପୁଣି ଜଣେ ହିନ୍ଦୁଙ୍କ ଘର ଜାଳି ଦେଇଛନ୍ତି । ପିରୋଜପୁର ଜିଲ୍ଲାର ଡୁମାରିଆ ଗାଁରେ ଉଗ୍ରବାଦୀମାନେ ହିନ୍ଦୁ ପରିବାରର ଘରକୁ ନିଆଁ ଲଗାଇ ଦେଇଛନ୍ତି ।
ଏହି ଘଟଣା ଡିସେମ୍ବର ୨୭ ତାରିଖରେ ଘଟିଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ଆକ୍ରମଣକାରୀମାନେ ପଳାଶ କାନ୍ତି ସାହାଙ୍କୁ ତାଙ୍କ ଘର ଭିତରେ ବନ୍ଦ କରି ଦେଇ ତାଙ୍କୁ ଜୀବନ୍ତ ଜାଳି ଦେବାକୁ ଚେଷ୍ଟା କରିଥିଲେ। ଏହାର ଗୋଟିଏ ଦିନ ପୂର୍ବରୁ, ପଶ୍ଚିମ ଡୁମାରିଆତାଲା ଗାଁରେ ମଧ୍ୟ ଦୁଇଟି ପରିବାରର ପାଞ୍ଚଟି ଘର ପୋଡ଼ି ଦିଆଯାଇଥିଲା । ଉଗ୍ରବାଦୀମାନେ ଏକ କୋଠରୀରେ ଥିବା ଏକ କପଡାରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି, ଯାହା ଫଳରେ ନିଆଁ ଶୀଘ୍ର ସାରା ଘରେ ବ୍ୟାପି ଯାଇଥିଲା । ଉକ୍ତ ଘରେ ପଳାଶ କାନ୍ତି ସାହା, ଶିବ ସାହା, ଦୀପକ ସାହା, ଶ୍ୟାମଳେନ୍ଦୁ ସାହା ଏବଂ ଅଶୋକ ସାହା ରହୁ ଥିଲେ । ଏହି ଘଟଣାରେ ଘରର ସମସ୍ତ ସାମଗ୍ରୀ, ଆସବାବ ପତ୍ର, ନଗଦ ଟଙ୍କା, ଜମି କାଗଜପତ୍ର, ଶିକ୍ଷାଗତ ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ ହୋଇଯାଇଛି।
ଏହି ଘଟଣା ପରେ, ବାଂଲାଦେଶୀ ଲେଖିକା ତସଲିମା ନସରିନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ ହିନ୍ଦୁ ବିରୋଧୀ ଜିହାଦୀମାନେ ପିରୋଜପୁରର ଡୁମରିଟୋଲା ଗାଁରେ ସାହା ପରିବାରର ଘରର ପାଞ୍ଚଟି କୋଠରୀ ପୋଡ଼ି ଦେଇଛନ୍ତି । ସକାଳେ ସମସ୍ତେ ଶୋଇଥିବା ସମୟରେ ନିଆଁ ଲଗାଇ ଦେଇଥିଲେ । ସେ ଆହୁରି ଲେଖିଛନ୍ତି ଯେ ଜିହାଦୀମାନେ ସେହିପରି ପ୍ରଭାତରେ ଚାଟୋଗ୍ରାମର ରାଓଜାନରେ ହିନ୍ଦୁ ଘର ପୋଡ଼ି ଦେଇଥିଲେ। ଦେଶର ଅନ୍ୟ ସମସ୍ତ ହିନ୍ଦୁ ଘର କ'ଣ ଏହିପରି ପୋଡ଼ି ଦିଆଯିବ? ସେମାନେ ହିନ୍ଦୁମାନଙ୍କୁ ଜୀବନ୍ତ ଜାଳିବାକୁ ଚାହାଁନ୍ତି; ସେଥିପାଇଁ ସେମାନେ ଶୋଇଥିବା ସମୟରେ ନିଆଁ ଲଗାନ୍ତି । ୟୁନୁସ କ'ଣ କେବଳ ବଂଶୀ ବଜାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ତସଲିମା ।