ନୂଆଦିଲ୍ଲୀ: ଜଣେ ଦୁଷ୍କର୍ମ କଲେ ସେ ନିଜେ ସିନା ଜେଲର ଚାରିକାନ୍ଥ ଭିତରେ ରୁହେ । କିନ୍ତୁ ଜଣେ ଦୁଷ୍କର୍ମକାରୀର ପରିବାରକୁ କେତେ କଷ୍ଟ, ମାନସିକ ନିର୍ଯ୍ୟାତନା ଏବଂ ସାମାଜିକ ଲାଞ୍ଛନା ସହିବାକୁ ପଡ଼େ ଆଜି ତାହାର ଉଦାହରଣ ଦେଖିବାକୁ ମିଳିଛି । ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ପୂର୍ବତନ ବିଜେପି ବିଧାୟକ କୁଲଦୀପ ସୈଙ୍ଗରଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିବା ପରେ ପରିବାରକୁ ଏକ ଶକ୍ତ ଝଟକା ଲାଗିଛି । କୁଲଦୀପଙ୍କ ଝିଅ ଇଶିତା ସୈଙ୍ଗର ଏକ ଚିଠି ଲେଖି ସାମାଜିକ ଗଣମାଧ୍ୟମରେ ନିଜର ଦୁଃଖ ବଖାଣିବା ସହିତ ନ୍ୟାୟ ଭିକ୍ଷା ମଧ୍ୟ କରିଛନ୍ତି ।
କୁଲଦୀପଙ୍କ ଝିଅ ପୋଷ୍ଟ କରି କହିଛନ୍ତି, ଗୋଟିଏ ଝିଅ ହିସାବରେ ସେ ଏହି ଚିଠି ଲେଖିଛନ୍ତି, ଯିଏ ଥକି ଯାଇଛି ଏବଂ ଭୟଭୀତ ଅଛି ଏବଂ ଧିରେ ଧିରେ ଆଶା ହରାଉଛି । ଲୋକେ ତାଙ୍କ ଶକ୍ତିଶାଳୀ କହୁଛନ୍ତି କିନ୍ତୁ ଇଏ କେମିତିକା ଶକ୍ତି ଯାହା ଗୋଟିଏ ପରିବାରକୁ ୮ ବର୍ଷ ହେଲାଣି ମୁକ କରିଦେଇଛି । ଇଶିତା ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ପରିବାର ସମସ୍ତ ସମ୍ମାନ ଛଡ଼ାଇ ନିଆଯାଇଛି । ତାଙ୍କ କଥା ଶୁଣିବା ପୂର୍ବରୁ ଗୋଟିଏ ବିଜେପି ବିଧାୟକଙ୍କ ଝିଅ କହି ତାଙ୍କ ପରିଚୟକୁ ସୀମିତ କରିଦିଆଯାଉଛି । ଯେଉଁମାନେ ମୋତେ କେବେ ଭେଟି ନାହାଁନ୍ତି, କେବେ ଗୋଟିଏ ଡକ୍ୟୁମେଣ୍ଟ ପଢ଼ି ନାହାଁନ୍ତି, କେବେ ଗୋଟିଏ କୋର୍ଟ ରେକର୍ଡ ଦେଖି ନାହାଁନ୍ତି, ସେମାନେ ନିଷ୍ପତ୍ତି ନେଇଛନ୍ତି ଯେ ମୋ ଜୀବନର କୌଣସି ମୂଲ୍ୟ ନାହିଁ। ବିଗତ ୮ ବର୍ଷରେ ଅନେକ ଥର ମୋତେ ସାମାଜିକ ଗଣମାଧ୍ୟମରେ ଦୁଷ୍କର୍ମ କରିବା ଉଚିତ, ହତ୍ୟା କରିବା ଉଚିତ ଏବଂ ଦଣ୍ଡ ଦେବା ଉଚିତ ବୋଲି କୁହାଯାଉଛି । ଆମକୁ ଆଉ କେହି ମଣିଷ ଭାବୁ ନାହାଁନ୍ତି ବୋଲି କୋହଭରା ଚିଠି ଲେଖିଛନ୍ତି ଇଶିତା ।
ଇଶିତା ଲେଖିଛନ୍ତି ଯେ ସେ କାହାକୁ ଧମକାଇବା କିମ୍ବା ସହାନୁଭୂତି ପାଇବା ପାଇଁ ଏହି ଚିଠି ଲେଖୁ ନାହାଁନ୍ତି । ସେ ଲେଖିଛନ୍ତି, "ମୁଁ ବହୁତ ଭୟଭୀତ ହୋଇଥିବାରୁ ଏବଂ ମୁଁ ଏବେ ବି ବିଶ୍ୱାସ କରୁଛି ଯେ କେହି ନା କେହି, କେଉଁଠି ନା କେଉଁଠି, ମୋ କଥା ଶୁଣିବାକୁ ଯତ୍ନବାନ ହେବେ । ଆମେ କୌଣସି ଅନୁଗ୍ରହ ମାଗୁନାହୁଁ। ଆମେ କିଏ ସେଥିପାଇଁ ସୁରକ୍ଷା ମାଗୁନାହୁଁ । ଜଣେ ମଣିଷ ଭାବରେ ନ୍ୟାୟ ମାଗୁଛୁ ବୋଲି କହିଛନ୍ତି ଇଶିତା । ମୁଁ ଏପରି ଏକ ଝିଅ ଯିଏ ଏବେ ବି ଏହି ଦେଶ ଉପରେ ବିଶ୍ୱାସ କରେ।
ଦୟାକରି ମୋତେ ସେହି ବିଶ୍ୱାସ ପାଇଁ ଅନୁତାପ କରାଅନାହିଁ।