କଟକ: ଓଲିଉଡ଼ର ବିଶିଷ୍ଠ କଣ୍ଠଶିଳ୍ପ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ମା ଶେଫାଳୀ ଦେଇଥିବା ଏତଲା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ। ଡିସିପି କହିଛନ୍ତି ଏତଲା ଆଧାରରେ ତଦନ୍ତ କରାଯାଉଛି। ଏତଲାରେ ଥିବା ସମସ୍ତ ବ୍ୟକ୍ତି ତଦନ୍ତ ପରିସରଭୁକ୍ତ ହେବେ। ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଛି। ରିପୋର୍ଟ ଆସିବା ପରେ ତର୍ଜମା କରାଯିବ ବୋଲି ଡିସିପି କହିଛନ୍ତି ।
କଟକର ମର୍କତନଗର ଥାନାରେ ଶେଫାଳି ୯ଜଣଙ୍କ ନାଁରେ ଏତଲା ଦେଇଥିଲେ। ଶେଫାଳି ଗଣମାଧ୍ୟମରେ କହିଥିଲେ, ପୁଅ ହ୍ୟୁମାନକୁ ଲିଭର ସିରୋସିସ୍ ହୋଇଥିଲା, ହେଲେ ମ୍ୟାନେଜର ଥରେ ହେଲେ ମୋତେ କହିନଥିଲା । ସେ ଆହୁରି ମଧ୍ୟ କହିଥିଲେ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ବିଭିନ୍ନ ସମୟରେ ପୁଅ ହ୍ୟୁମାନ୍ ପାଖକୁ ରାତି ଅଧରେ ଆସୁଥିଲା, ଏହି କଥାକୁ ସେ ବିରୋଧ କରିଥିଲେ। ସାଗର ସଙ୍ଗମ ଲାଇଭ୍ ଟ୍ରୁପର ମାଲିକ ଆବିଦ୍ ନିଜ ସହିତ ଅର୍ପିତାଙ୍କୁ ନେଇ ଆସୁଥିଲା। ଦୀର୍ଘ ସମୟ ଘରେ ରହୁଥିଲେ।
ମୃତ୍ୟୁ ରହସ୍ୟ ଖୋଲିବାକୁ ମା’ଶେଫାଳି ତାଙ୍କ ଏତଲାରେ ବୋହୂ ଶ୍ରେୟା ମିଶ୍ର ଓ ତାଙ୍କ ପରିବାର, ଚିକିତ୍ସା କରୁଥିବା ଡାକ୍ତର ଶୁଭେନ୍ଦୁ ମିଶ୍ର, ସହ-କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଓ ତାଙ୍କ ପରିବାର, ମ୍ୟାନେଜର ଦିନେଶ ବେହେରା, ମ୍ୟାନେଜର ପ୍ରଶାନ୍ତ ବେହେରା, ସହଯୋଗୀ ଲୁଲୁ ମହାନ୍ତି ଓ ଜଗଦିଶ ମହାନ୍ତିଙ୍କ ନାଁରେ ଅଭିଯୋଗରେ ଦର୍ଶାଇଛନ୍ତି। ଏହି କ୍ରମରେ ପୁଲିସ ତଦନ୍ତ ଆରମ୍ଭ କରି ସିସିଟିଭି ଫୁଟେଜ୍, ବ୍ୟାଙ୍କ ତଥ୍ୟ ଓ ମୋବାଇଲ୍ କଲ୍ ରେକର୍ଡ ମଗାଇଛି।