ନୂଆଦିଲ୍ଲୀ: ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପରଲୋକ ଘଟିଛି । ମଙ୍ଗଳବାର ଭୋର ସମୟରେ ଏକ ଘରୋଇ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜିଆ ଦେହ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ନିକଟରେ ତାଙ୍କ ପୁଅ ତାରିକ୍ ରେହମାନ ଦୀର୍ଘ ୧୭ ବର୍ଷ ପରେ ଲଣ୍ଡନରୁ ବାଂଲାଦେଶ ଫେରିଛନ୍ତି ।
ବିଏନପି ଅଫିସିଆଲ୍ ପେଜରେ ସୂଚନା ମୁତାବକ, ମଙ୍ଗଳବାର ସକାଳ ୬ଟାରେ ଠିକ୍ ନମାଜ ପରେ ଖାଲେଦା ଜିଆଙ୍କର ପରଲୋକ ହୋଇଛି । ବିଏନପି ସାଧାରଣ ସମ୍ପାଦକ ଫଖରୁଲ ଇସ୍ଲାମ ଆଲମଗିର ଏବଂ ମିଡ଼ିଆ ଶାଖାର ଅଧ୍ୟକ୍ଷ ଶମସୁଦ୍ଦୀନ ଦୀଦାର ତାଙ୍କ ନିଧନ ଖବର ଦେଇଛନ୍ତି । ଖାଲେଦା ଜିଆ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ଅଧ୍ୟକ୍ଷା ଥିଲେ । ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କର ଏକ ବଡ଼ ପ୍ରତିଦ୍ୱନ୍ଦୀ ଥିଲେ । ଦୀର୍ଘ ବର୍ଷ ହେବ ସେ ଅନେକ ଦୂରାରୋଗରେ ପୀଡ଼ିତ ଥିଲେ । ତାଙ୍କର ହୃଦ, ଲିଭର୍ ଏବଂ କିଡ଼ନୀରେ ସମସ୍ୟା ସହିତ ମେଦବହୁଳତା ଏବଂ ଆର୍ଥାଇଟ୍ସ ଭଳି ସମସ୍ୟା ମଧ୍ୟ ଥିଲା । ସେ ମେ ୬ରେ ଲଣ୍ଡନରୁ ଚିକିତ୍ସିତ ହୋଇ ସ୍ୱଦେଶ ଫେରିବା ପରେ ଏଭରକେୟାର ହସ୍ପିଟାଲରେ ନିୟମିତ ଚିକିତ୍ସିତ ହେଉଥିଲେ ।
୧୯୪୫ରେ ଅଗଷ୍ଟ ୧୫ ତାରିଖରେ ଅବିଭାଜିତ ଭାରତର ଜଲପାଇଗୁଡ଼ୀରେ ଜନ୍ମ ଗ୍ରହଣ କରିଥିଲେ ଖାଲେଦା ଜିଆ। ଜଲପାଈଗୁଡ଼ୀ ବର୍ତ୍ତମାନ ପଶ୍ଚିମବଙ୍ଗରେ ଅଛି । ବିବାହ ପୂର୍ବର ତାଙ୍କ ନାମ ଖାଲେଦା ଖାନମ ପୁତୁଲ ଥିଲା । ଭାରତ ବିଭାଜନ ପରେ ୧୯୪୭ରେ ସେ ନିଜ ପରିବାର ସହିତ ଦିନାଜପୁର ଚାଲିଯାଇଥିଲେ । ଖାଲିଦା ୧୯୬୫ରେ ପାକିସ୍ତାନ ସେନାର କ୍ୟାପଟେନ୍ ଜିଆଉର ରହମାନଙ୍କୁ ବିବାହ କରି ତାଙ୍କ ସହିତ ପାକିସ୍ତାନ ଚାଲିଯାଇଥିଲେ । ବିବାହ ପରେ ନିଜର ନାମ ଖାଲେଦା ଜିଆ ରଖିଥିଲେ । ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧରେ ଜିଆଉର ରେହମାନ ମଧ୍ୟ ନିୟୋଜିତ ଥିଲେ । ତାଙ୍କ ସ୍ୱାମୀ ଜିଆଉର ୧୯୭୭ରେ ବାଂଲାଦେଶର ରାଷ୍ଟ୍ରପତି ହୋଇଥିଲେ । ୧୯୮୧, ମେ ୩୦ରେ ସ୍ୱାମୀଙ୍କ ହତ୍ୟା ପରେ ଖାଲେଦା ପ୍ରତ୍ୟକ୍ଷ ରାଜନୀତିକୁ ପ୍ରବେଶ କରିଥିଲେ । ୧୯୮୨ ଜାନୁୟାରୀ ୨ ତାରିଖରେ ଖାଲେଦା ବିଏନପିର ସଦସ୍ୟତା ଗ୍ରହଣ କରିଥିଲେ । ୧୦, ମେ ୧୯୮୪ ମସିହାରେ ସେ ବିଏନପି ଦଳର ମଙ୍ଗ ସମ୍ଭାଳିଥିଲେ । ୧୯୯୧ ମସିହାରେ ସେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାର ଗୌରବ ହାସଲ କରିଛନ୍ତି । ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ । ୧୯୯୧ରୁ ୧୯୯୬ ଏବଂ ୨୦୦୧ରୁ ୨୦୦୬ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିଲେ ।