କଟକ/କେନ୍ଦୁଝର: ଆଜି ଗୋଟିଏ ଦିନରେ ଦୁଇ ଦୁଇ ଜଣ ସରକାରୀ ଅଧିକାରୀ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକର ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡା ଏବଂ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ବାଞ୍ଚୋ ପଞ୍ଚାୟତ ପିଇଓ ଜିତେନ୍ଦ୍ର କୁମାର ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି ।
ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ୪ଟି ଠିକଣାରେ ଭିଜିଲାନ୍ସ ତଲାସ ଆରମ୍ଭ କରିଛି । ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତର ବିଚାରପତି ମାନ୍ୟବର କୃଷ୍ଣଚନ୍ଦ୍ର ଦାସଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଚଢ଼ଉ ହୋଇଛି । ଚଢ଼ଉରେ ୪ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର, ୧ ଏସଆଇ, ୮ ଜଣ ଏଏସ୍ଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଅଛନ୍ତି । ଭୁବନେଶ୍ୱର ଗୋପାଳୁଣୀ ନଗର ବଡ଼ଗଡ଼ଠାରେ ଏକ ତିନି ମହଲା କୋଠା, ବ୍ରିଟ୍ କଲୋନୀରେ ଆଉ ଏକ ତିନି ମହଲା କୋଠା, ଖୋର୍ଦ୍ଧା ଜିଲ୍ଲା ସାନପଲ୍ଲାରେ ଗୋଟିଏ ଦୁଇ ମହଲା କୋଠା, କଟକ ବାରଙ୍ଗ ତହସିଲ କାର୍ଯ୍ୟାଳୟରେ ଚଢ଼ଉ ହୋଇଛି ।
ସେହିପରି ପିଇଓ ଜିତେନ୍ଦ୍ର କୁମାର ଜେନାଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତିଠୁଳ ୬ଟି ଠିକଣାରେ ଚଢ଼ଉ କରାଯାଉଛି । କେନ୍ଦୁଝର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତି ନିର୍ଦ୍ଦେଶରେ ୪ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା କୋଠାରେ ଚଢ଼ଉ ଜାରି ରହିଛି । ହାଟଡିହି ମାରେଇଗାଁ ବିରଞ୍ଚିପୁରରେ ଥିବା ଏକ ତିନି ମହଲା ବିଶିଷ୍ଟ ବାସଭବନ, ବସନ୍ତିଆ ବଜାରର ଜଗନ୍ନାଥପୁର ମୌଜାରେ ନୂତନ ନିର୍ମିତ ଦୁଇ ମହଲା ମାର୍କେଟ୍ କମ୍ପ୍ଲେକ୍ସ, ମା ସରସ୍ୱତୀ ସେଲ୍ସର ଦୁଇଟି ଭଡା ଗୋଦାମ, ବିଦ୍ୟାଧରପୁରରେ ଥିବା ମା ସରସ୍ୱତୀ ସେଲ୍ସର ଇଲେକ୍ଟ୍ରିକ୍ ଦୋକାନ, ପଡ଼ିହାରୀପାଲ୍ଲୀରେ ଥିବା ପୈତୃକ ଘର ଏବଂ ବାଞ୍ଚୋ ପଞ୍ଚାୟତ କାର୍ଯ୍ୟାଳୟରେ ଖୋଳତାଡ଼ କରାଯାଉଛି ।
ଖବର ଲେଖାଯିବା ବେଳକୁ ଦୁଇ ଅଧିକାରୀଙ୍କ ସମ୍ପତ୍ତିର କୌଣସି ଆକଳନ କରାଯାଇନଥିଲା ।