ଭାରତ ଓ କାନାଡାର ସମ୍ପର୍କ ଦିନକୁ ଦିନ ଆହୁରି ତିକ୍ତତା ହେଉଛି । ଭାରତ ଆସୁଥିବା ପର୍ଯ୍ୟଟକଙ୍କୁ କାନାଡା ପକ୍ଷରୁ ସର୍ତକତା ଜାରି କରିଵା ପରେ ଭାରତ କାନାଡା ଭିସା ଉପରେ ପ୍ରତିଵନ୍ଧକ ଲଗାଇଛି । ପରଵର୍ତ୍ତୀ ନିର୍ଦେଶ ନଆସିବା ଯାଏଁ ଏହି ପ୍ରତିବନ୍ଧକ ଲାଗୁ ହେବ । କିଛିଦିନ ତଳେ କାନାଡା ନିଜ ନାଗରିକଙ୍କୁ ସୁରକ୍ଷା ଦୃଷ୍ଟିକୋଣରୁ ଜାମ୍ମୁ କାଶ୍ମୀରକୁ ନ ଯିବା ପାଇଁ ସତର୍କତା ଜାରି କରିଥିଲା । ଖଲିସ୍ତାନୀ ସମର୍ଥକ ହରଦିପ ସିଂ ନିଜାରର ହତ୍ୟା ମାମଲାରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତ ଉପରେ ଦୋଶାରୋପ କରିବା ସହ ଭାରତର କୂଟନିତୀଜ୍ଞକୁ ବରଖାସ୍ତ କରିବା ପରେ ସବୁ ବିବାଦ ଆରମ୍ଭ ହୋଇଥିଲା । ପରେ ଭାରତ କାନାଡାର ବରିଷ୍ଠ କୁଟନୀତିଜ୍ଞଙ୍କୁ ବହିଷ୍କାର କରି ୧୦ ଦିନ ମଧ୍ୟରେ ଭାରତ ଛାଡିବାକୁ ନିର୍ଦେଶ ଦେଇଥିଲା ।
ତେବେ କାନାଡା ଏବଂ ଭାରତ ମଧ୍ୟରେ ବିବାଦ ବଢିବା ଦ୍ଵାରା ପ୍ରାୟ ୩୦ ଭାରତୀୟ କମ୍ପାନି ଚିନ୍ତାରେ ଅଛନ୍ତି । ଦୁଇ ଦେଶ ମଧ୍ୟରେ ବ୍ୟାପାରିକ ସମ୍ପର୍କ ତିକ୍ତ ହେବା ଆଶଙ୍କା ରହିଛି । କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜରଙ୍କୁ ହତ୍ୟା ପରେ ବର୍ତ୍ତମାନ ଉଭୟ ଦେଶ ମଧ୍ୟରେ ବିବାଦ ବୃଦ୍ଧି ପାଇଛି । ଆଶଙ୍କା କରାଯାଉଛି ଯେ, ଏହା କାନାଡାରେ କାର୍ଯ୍ୟ କରୁଥିବା ଭାରତୀୟ କମ୍ପାନିଙ୍କ ପାଇଁ ସମସ୍ୟା ଅଣିପାରେ ଏବଂ ସେଠାରେ ଏ କମ୍ପାନିଗୁଡ଼ିକ ଦ୍ୱାରା କରାଯାଇଥିବା ବୃହତ୍ ନିବେଶ ପ୍ରଭାବିତ ହୋଇପାରେ । ସେମାନଙ୍କ ଦ୍ଵାରା ସେଠାରେ ପ୍ରାୟ ୪୦,୦୦୦ କୋଟି ଟଙ୍କାର ନିବେଶ କରାଯାଇଛି । ତେବେ ଭାରତୀୟ କମ୍ପାନିଙ୍କ ସହିତ କାନାଡା ଅର୍ଥନୀତିର ଚିନ୍ତା ବଢ଼ିବା ବି ଥୟ । କାରଣ ଏହି କମ୍ପାନିଗୁଡ଼ିକ ସେଠାରେ ହଜାର ହଜାର ଲୋକଙ୍କୁ ରୋଜଗାର ଦେଇଛନ୍ତି।
ସିଆଇଆଇ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଥିଲା ଯେ, କେବଳ ଶ୍ରୀଲଙ୍କା, ବାଂଲାଦେଶ, ନେପାଳ ଏବଂ ଉପ-ସାଗରୀୟ ରାଷ୍ଟ୍ରଗୁଡ଼ିକ ପାଇଁ ନୁହେଁ, କାନାଡା ଭଳି ଦେଶ ପାଇଁ ଭାରତ ବହୁ ମାତ୍ରାରେ ଗୁରୁତ୍ଵପୂର୍ଣ ଅଟେ । ରିପୋର୍ଟରେ ଏକଥା ଦର୍ଶାଯାଇଛି ଯେ, କାନାଡା ଅର୍ଥବ୍ୟବସ୍ଥାରେ ଭାରତୀୟ ପ୍ରତିଭାଙ୍କ ଯୋଗଦାନ ଏବଂ ଭାରତୀୟ ନିବେଶ ବୃଦ୍ଧି ପାଇଛି । କାନାଡାରେ ଭାରତୀୟ ଉଦ୍ୟୋଗଙ୍କ ଉପସ୍ଥିତି ବଢ଼ିବା ସହ ସେଠାରେ ଭାରତୀୟ ନିବେଶ ବହୁ ମାତ୍ରାରେ ବଢ଼ିଛି। ସେଠାରେ ରୋଜଗାର ବଢ଼ାଇବାରେ ଭାରତୀୟ କମ୍ପାନିଙ୍କ ବୃହତ୍ ଯୋଗଦାନ ରହିଛି ।
ଅଧିକ ପଢନ୍ତୁ :- ଖଲିସ୍ତାନୀଙ୍କ ହାତରେ ଖେଳନା କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ