କାନାଡା ସବୁବେଳେ ଭାରତ ବିରୋଧୀ କାର୍ଯ୍ୟକଳାପର ଏକ ବଡ କେନ୍ଦ୍ର ଭାବେ ରହି ଆସିଛି । ବିଶେଷ ଭାବେ ଭାରତକୁ ଖଂଡିତ କରିବାକୁ ସ୍ୱପ୍ନ ଦେଖୁଥିବା ଖଲିସ୍ତାନୀ ଆତଙ୍କବାଦୀ ମାନଙ୍କ ପାଇଁ କାନାଡା ଏକ ପ୍ରକାର ଅଭୟାରଣ୍ୟ । କୁଖ୍ୟାତ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଦ୍ୱାରା ପ୍ରେରିତ ଖଲିସ୍ତାନୀ ଶକ୍ତି ମାନେ କାନାଡାରୁ ନିଜର ଭାରତ ବିରୋଧୀ କାର୍ଯ୍ୟକଳାପ ପରିଚାଳନା କରି ଆସିଛନ୍ତି । ଭାରତ ସରକାର ଏ ସମ୍ପର୍କରେ ଆପତି ବ୍ୟକ୍ତ କରିବା ସତ୍ୱେ କାନାଡା ସରକାର ଖଲିସ୍ତାନୀ ମାନଙ୍କ ବିରୁଦ୍ଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତ ଦୂରର କଥା ସେମାନଙ୍କୁ ଖୋଲାଖୋଲି ଭାରତ ବିରୋଧୀ କାର୍ଯ୍ୟକଳାପ ପାଇଁ ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି । ଏହାର କାରଣ ହେଲା କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସରକାର ଖଲିସ୍ତାନୀ ବିଚାରଧାରା ପ୍ରତି ସହାନୁଭୁତି ରଖୁଥିବା ରାଜନୈତିକ ଦଳ ଓ ସାଂସଦ ମାନଙ୍କ ସହଯୋଗରେ ଚାଲିଛି । ତେଣୁ କାନାଡାର ପ୍ରଧାନମନ୍ତ୍ରୀ ଟ୍ରୁଡୋ ନିଜ ସରକାର ବଂଚାଇବାକୁ ଯାଇ ଖଲିସ୍ତାନୀ ମାନଙ୍କ କଥାରେ ପରିଚାଳିତ ହେଉଥିବା ସ୍ପଷ୍ଟ ଦେଖା ଯାଉଛି।
ବର୍ତମାନ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ଭାରତର ଆଭିମୁଖ୍ୟ ଏହି ମାମଲାରେ ଅତ୍ୟନ୍ତ କଠୋର ହୋଇଛି । ପୂର୍ବରୁ ଭାରତ ସରକାରଙ୍କ ଆଭିମୁଖ୍ୟ ସେତେଟା କଠୋର ନ ଥିଲା । ଏବେ ଜି 20 ବୈଠକରେ କାନାଡାର ପ୍ରଧାନମନ୍ତ୍ରୀ ଟ୍ରୁଡୋ ଆସିଥିବା ବେଳେ ତାଙ୍କୁ ଭାରତ ସରକାର ତରଫରୁ ସ୍ପଷ୍ଟ ଭାବେ ଜଣାଇ ଦିଆଯାଇଥିଲା ଯେ କାନାଡାର ମାଟିରୁ ଭାରତ ବିରୋଧୀ କାର୍ଯ୍ୟକଳାପକୁ ସରକାର ବନ୍ଦ କରନ୍ତୁ। ମାନବିକ ଅଧିକାର ନାମରେ ଏହାକୁ ବରଦାସ୍ତ କରାଯାଇ ପାରିବ ନାହିଁ । କାନାଡାରୁ ଖୋଲାଖୋଲି ଭାବେ ଭାରତର କୂଟନୀତିଜ୍ଞ ମାନଙ୍କୁ ହତ୍ୟା କରାଯିବାକୁ ପୋଷ୍ଟର ଜାରୀ କରାଯାଉଛି । ସେଠାରେ ଭାରତ ସମର୍ଥକ ମାନଙ୍କର ଉପରେ ଆକ୍ରମଣ କରାଯାଉଛି। ଏହା ତୁରନ୍ତ ବନ୍ଦ ହେବା ଦରକାର ବୋଲି ଭାରତ ସରକାରଙ୍କ ପକ୍ଷରୁ ଟ୍ରୁଡୋଙ୍କୁ କଡା ବାର୍ତା ଦିଆଯାଇଥିଲା ।
ଗୋରା ମାନଙ୍କର ଏକ ସମସ୍ୟା ରହିଛି ଯେ ସେମାନେ ଭାବନ୍ତି କଳା ଦେଶ ମାନଙ୍କୁ ଉପଦେଶ ଦେବାର ଅଧିକାର କେବଳ ତାଙ୍କର ରହିଛି । ସେମାନେ ଅନ୍ୟ ଦେଶ ମାନଙ୍କରେ କିପରି ହେବା ଆବଶ୍ୟକ ସେ ବିଷୟରେ ପ୍ରବଚନ ଦେଇ ପାରିବେ । ତେଣୁ ଭାରତ ସରକାରଙ୍କର କାନାଡାର ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କୁ ରୋକ ଠୋକ ଭାବେ ଦିଆଯାଇଥିବା ବାର୍ତା ପସନ୍ଦ ଆସି ନ ଥିବା ସ୍ୱାଭବିକ ।
ଏହା ପରେ ଟ୍ରୁଡୋ ଭାରତରୁ ଫେରିବା ପରେ ଭାରତକୁ କାଠଗଡାରେ ଠିଆ କରାଇବାକୁ ଚେଷ୍ଟା କରିଥିଲେ । ଟ୍ରୁଡୋ କାନାଡା ସଂସଦରେ କହିଥିଲେ ଯେ ହରଦୀପ ସିଂହ ନିଜ୍ଜର ନାମକ ଏକ ବ୍ୟକ୍ତିର ହତ୍ୟା ପଛରେ ଭାରତର ହାତ ରହିଛି । ଏହା ପରେ କାନାଡା ଭାରତର ଜଣେ କୂଟନୀତିଜ୍ଞଙ୍କୁ ଦେଶରୁ ବାହାର କରିବାକୁ କହିଥିଲା । ଏହି ବ୍ୟକ୍ତି ଜଣେ ସାଧାରଣ ବ୍ୟକ୍ତି ନୁହେଁ । ଏହି ବ୍ୟକ୍ତି ଜଣେ ଖଲିସ୍ତାନୀ ଆତଙ୍କବାଦୀ । ଭାରତର ଏନଆଇଏ ଏହି ବ୍ୟକ୍ତିକୁ ଧରିବାକୁ ଚେଷ୍ଟା କରୁଛି । ଏଭଳି ଜଣେ ବ୍ୟକ୍ତି ଯାହାଙ୍କୁ ଭାରତର ଜାଂଚ ଏଜେନ୍ସୀ ମାନେ ଖୋଜୁଥିଲେ, ଯାହା ବିରୁଦ୍ଧରେ ଭାରତରେ ହିଂସାକରିବା ଓ ଭାରତକୁ ଖଂଡ ବିଖଂଡିତ କରିବାର ଚେଷ୍ଟା କରିବାର ଅଭିଯୋଗ ରହିଛି, ସେହି ଭଳି ବ୍ୟକ୍ତିର ସମର୍ଥନରେ କାନାଡାର ପ୍ରଧାନମନ୍ତ୍ରୀ ଟ୍ରୁଡୋ ଖୋଲାଖୋଲି ଭାବେ ବାହାରିବା ସେ କିଭଳି ଭାବେ ନିଜର ସରକାର ବଂଚାଇବାକୁ ଖଲିସ୍ତାନୀ ମାନଙ୍କର ହାତର କ୍ରିଡନକ ସାଜିଛନ୍ତି ତାହା ସ୍ପଷ୍ଟ କରୁଛି ।
ତେବେ ଭାରତର କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ପରେ ଭାରତ ଯାହା କଲା ତାହା କାନାଡା କେବେ ଚିନ୍ତା ମଧ୍ୟ କରି ନ ଥିଲା । ପ୍ରଥମେ ଭାରତ ସରକାର ଏକ ବକ୍ତବ୍ୟ ଜାରୀ କରି ଟ୍ରୁଡୋଙ୍କ ବକ୍ତବ୍ୟକୁ ଆବସର୍ଡ ବୋଲି କହିବା ସହ ଏହାକୁ ଖାରଜ କରିଥିଲେ । ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଏଭଳି ଭିତିହୀନ ଅଭିଯୋଗ କାନାଡା ସରକାର ପକ୍ଷରୁ ଆତଙ୍କବାଦୀ ମାନଙ୍କ ଉପରେ ଧ୍ୟାନ ହଟାଇବାକୁ କରାଯାଇଛି । ଏଭଳି ଆତଙ୍କବାଦୀ ମାନଙ୍କୁ କାନାଡାରେ ଶରଣ ଦିଆଯାଉଛି । ଏହା ଭାରତର ସଂପ୍ରଭୁତା ଓ କ୍ଷେତ୍ରୀୟ ଅଖଂଡତା ପାଇଁ ବିପଦ ।
ଏହା ପରେ ଭାରତ ମଧ୍ୟ କାନାଡାର ରାଷ୍ଟ୍ରଦୂତଙ୍କୁ ସମନ କରି ବିନା ଚାରି ମିନିଟ ମଧ୍ୟରେ ହାତରେ ପତ୍ର ଧରାଇ କାନାଡାର ଜଣେ କୂଟନୀତିଜ୍ଞଙ୍କୁ ପାଂଚ ଦିନ ମଧ୍ୟରେ ଭାରତ ଛାଡି ଚାଲିଯିବାକୁ କହିଥିଲା ।
କାନାଡାର ସରକାର ଓ ରାଷ୍ଚ୍ରଦୂତ ନିଶ୍ଚିତ ଭାବେ ଭାବୁଥିବେ, ଯେ ଭାରତର ଆଭିମୁଖ୍ୟରେ ଏଭଳି ପରିବର୍ତନ କିଭଳି ଆସି ଯାଇଛି । ପୂର୍ବରୁ ଭାରତର ନେତୃତ୍ୱ ଗୋରା ମାନଙ୍କୁ ଦେଖିଲେ ନତ ମସ୍ତକ ହେଉଥିଲା, ହେଲେ ଏବେର ଭାରତ ଗୋରା ଦେଶ ମାନଙ୍କୁ ଯେସାକୁ ତେସା ନୀତି ପ୍ରୟୋଗ କରୁଛି । ଏହା ତାଙ୍କୁ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ କରୁଥିବ, ଏଥିରେ ସନ୍ଦେହ ନାହିଁ ।
ଖଲିସ୍ତାନୀ ମାନଙ୍କର ଚାପରେ ଏଭଳି ବିନା କୌଣସି ତଥ୍ୟ ପ୍ରମାଣରେ ଭାରତ ବିରୁଦ୍ଧରେ ଅଭିଯୋଗ ଆଣିବା ପରେ ଉଭୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ଖରାପ ହେବା ନିଶ୍ଚିତ ଥିଲା । କାନାଡା କେବଳ ସେତିକିରେ ଅଟକି ଯାଇ ନ ଥିଲା । କାନାଡା ସରକାର ଏକ ଆଡଭାଇଜରୀ ଜାରୀ କରି ଭାରତରେ କାନାଡାର ନାଗରିକ ମାନଙ୍କୁ ସାବଧାନତା ଅବଲମ୍ବନ କରିବାକୁ କହିଥିଲେ । ଏପରି କରି କାନାଡା ଏକ ପ୍ରକାର ଭାରତକୁ ଟାର୍ଗେଟ କରିଥିଲା ।
ହେଲେ କାନାଡାର ଏଭଳି ଆଡଭାଇଜରୀ ପରେ ଭାରତ କାହିଁକି ଚୁପ ରହନ୍ତା । କାରଣ ବର୍ତମାନର ଭାରତ ପୂର୍ବର ଭାରତ ନୁହେଁ। ବର୍ତମାନର ଭାରତ ନିଜର ରାଷ୍ଟ୍ରୀୟ ସ୍ୱାର୍ଥ ପାଇଁ କିଛି ବି କରିବାକୁ ପ୍ରସ୍ତୁତ । ଭାରତ ଏହା ପରେ ଅତ୍ୟନ୍ତ କଠୋର ପ୍ରତିକ୍ରିୟା ଦେଇଥିଲା । ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଭାରତର ନାଗରିକ ଓ ଭାରତୀୟ ଛାତ୍ର ମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରୀ କରାଯାଇଥିଲା । ଏଥିରେ ଯେଉଁ ଶବ୍ଦ ପ୍ରୟୋଗ କରାଯାଇଥିଲା ତାହା ଅତ୍ୟନ୍ତ କଠୋର ଥିଲା । ଏଥିରେ କୁହା ଯାଇଥିଲା ଯେ କାନାଡାରେ ବଢୁଥିବା ଭାରତ ବିରୋଧୀ କାର୍ଯ୍ୟକଳାପ. ରାଜନୈତିକ ସମର୍ଥନ ପ୍ରାପ୍ତ ଅପରାଧ ତଥା ହିଂସାକୁ ଦେଖି ସେଠାରେ ଉପସ୍ଥିତ ଥିବା ଓ ସେଠାକୁ ଯାତ୍ରା କରିବାକୁ ଚାହୁଁଥିବା ଭାରତୀୟ ନାଗରିକ ମାନଙ୍କୁ ଅତ୍ୟନ୍ତ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି ।
ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରୀ ଏହି ବକ୍ତବ୍ୟରେ କାନାଡାରେ ଭାରତ ବିରୋଧୀ କାର୍ଯ୍ୟକଳାପକୁ ରାଜନୈତିକ ସମର୍ଥନ ଦିଆଯାଉଥିବା କଥା ଉଲ୍ଲେଖ କରି କାନାଡାକୁ ଟାର୍ଗେଟ କରାଯାଇଛି। ଗୋଟିଏ ପ୍ରକାରରେ ଆତଙ୍କବାଦର ମୂଳ କେନ୍ଦ୍ର ପାକିସ୍ତାନ ପ୍ରତି ଭାରତ ଯେଉଁ ଭଳି ଭାଷାର ବ୍ୟବହାର କରେ ସେହିଭଳି ଭାଷା କାନାଡା ପାଇଁ ପ୍ରୟୋଗ କରାଯାଇଛି ।
ଏହି ସମ୍ପୂର୍ଣ ପ୍ରକରଣରୁ ସ୍ପଷ୍ଟ ହେଉଛି ଯେ ଜଷ୍ଟିନ ଟ୍ରୁଡୋ ପୂରାପୁରି ଭାବେ ଖଲିସ୍ତାନୀ ମାନଙ୍କ କଥାରେ ପରିଚାଳିତ ହେଉଛନ୍ତି । ଏହା ତାଙ୍କର ରାଜନୈତିକ ବାଧ୍ୟବାଧକତା ହୋଇଥାଇ ପାରେ । ତାଙ୍କର ସଂଖ୍ୟାଲଘୁ ସରକାରକୁ ଚଳାଇବାକୁ ଖଲିସ୍ତାନୀ ମାନଙ୍କର ସମର୍ଥନ ତାଙ୍କର ଜରୂରୀ । ତେଣୁ ସେ କୌଣସି ସ୍ତର ଯାଏ ଯାଇ ପାରନ୍ତି । ତେବେ କାନାଡାରେ ଜଷ୍ଟିନ ଟ୍ରୁ଼ଡୋଙ୍କ ଏଭଳି କାମ ପାଇଁ ତାଙ୍କର ବିରୋଧ ଆରମ୍ଭ ହେଲାଣି ।
ଏବେ କାନା଼ଡା ସରକାର ପକ୍ଷରୁ ଭାରତ ବିରୁଦ୍ଧରେ ସାଂକସନ ଲଗାଇବାକୁ ଧମକ ଦିଆଯିବା କଥା ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେଲାଣି । କାନାଡାକୁ ବୁଝି ରଖିବା ଉଚିତ ଯେ ଭାରତ ତାର ରାଷ୍ଟ୍ରୀୟ ସ୍ୱାର୍ଥର ସୁରକ୍ଷା ପାଇଁ କିଛି ହେଲେ କରିବାକୁ ପ୍ରସ୍ତୁତ । ଯେତେବେଳେ ବାଜପେୟୀ ପ୍ରଧାନମନ୍ତ୍ରୀ ଥିଲେ ଓ ଭାରତ ପରମାଣୁ ବିସ୍ଫୋରଣ କରିଥିଲା ସେତେବେଳେ ମଧ୍ୟ ବିଭିନ୍ନ ଦେଶ ଭାରତ ଉପରେ କଟକଣା ଲଗାଇଥିଲେ । ହେଲେ ଭାରତ ଏହାର ସଫଳତାର ସହ ମୁକାବିଲା କରିଥିଲା । ସେତେବେଳର ସ୍ଥିତି ମଧ୍ୟ ଭିନ୍ନ ଥିଲା । ବର୍ତମାନ ସ୍ଥିତି ସମ୍ପୂର୍ଣ ଭିନ୍ନ । ବର୍ତମାନ ଭାରତ ବିରୁଦ୍ଧରେ କଟକଣା ଲଗାଇଲେ ଭାରତର କ୍ଷତି କମ ହେବ ଉକ୍ତ ଦେଶର କ୍ଷତି ଅଧିକ ହେବ ।
2014 ମସିହା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ଏକ ଭିନ୍ନ ଭାରତରେ ପରିଣତ ହୋଇ ସାରିଛି । ଏହି ଭାରତ ଗୋରା ମାନଙ୍କୁ ଦେଖି ଦଣ୍ଡବତ ହେଉ ନାହିଁ ବରଂ ସେମାନଙ୍କୁ ଯେସାକୁ ତେସା ନୀତିରେ ଜବାବ ଦେଉଛି । ଭାରତ ବିରୁଦ୍ଧରେ ଷଡଯନ୍ତ୍ର କରୁଥିବା ଶକ୍ତି ମାନଙ୍କୁ ଶରଣ ଦେଇ ଜଷ୍ଟିନ ଟ୍ରୁଡୋ ଯାହା କରୁଛନ୍ତି ତାହାର ମୂଲ୍ୟ ଆଗାମୀ ସମୟରେ କାନାଡାକୁ ନିଶ୍ଚିତ ଭାବେ ଦେବାକୁ ପଡିବ ଏଥିରେ କାହାକୁ ସନ୍ଦେହ ରହିବା ଉଚିତ ନୁହେଁ ।
ଡ. ସମନ୍ୱୟ ନନ୍ଦ