ଇସଲାମାବାଦ: ଦେବାଳିଆ ପାକିସ୍ତାନ ଖର୍ଚ୍ଚ କମାଇବା ପାଇଁ ଦେଶର ୧୫୦,୦୦୦ ସରକାରୀ ପଦବି ଉଚ୍ଛେଦ କରିବାକୁ ଯାଉଛି। ଏହା ସହିତ ୬ଟି ମନ୍ତ୍ରାଳୟ ବନ୍ଦ ହୋଇଯିବ ଏବଂ ଅନ୍ୟ ୨ଟି ମନ୍ତ୍ରଣାଳୟକୁ ମିଶ୍ରଣ କରାଯିବ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ ଏଫ୍ ) ସହ ହୋଇଥିବା ୭ ବିଲିୟନ ଡଲାର ଋଣ ଚୁକ୍ତିର ଏକ ଅଂଶ ଭାବେ ପାକିସ୍ତାନ ଅର୍ଥମନ୍ତ୍ରୀ ମହମ୍ମଦ ଔରଙ୍ଗଜେବ ରବିବାର ଏହି ପରିବର୍ତ୍ତନ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆଇଏମଏଫ ସହିତ ଏକ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି, ଯାହା କି ପାକିସ୍ତାନ ପାଇଁ ଶେଷ ଋଣ କାର୍ଯ୍ୟକ୍ରମ ହେବ।
ସେପ୍ଟେମ୍ବର ୨୬ରେ ଆଇଏମଏଫ ପାକିସ୍ତାନ ପାଇଁ ୭ ବିଲିୟନ ଡଲାରର ସହାୟତା ପ୍ୟାକେଜକୁ ଅନୁମୋଦନ କରିଥିଲା । ଆଇଏମ୍ ଏଫ୍ ଏହି ଋଣର ପ୍ରଥମ କିସ୍ତି ଭାବେ ୧ ବିଲିୟନ ଡଲାର ପ୍ରଦାନ କରିଛି। ବ୍ୟୟ ହ୍ରାସ, ଟିକସ-ଜିଡିପି ଅନୁପାତ ବୃଦ୍ଧି, କୃଷି ଓ ରିଅଲ ଇଷ୍ଟେଟ୍ ଭଳି ଅଣପାରମ୍ପରିକ କ୍ଷେତ୍ର ଉପରେ ଟିକସ ଲଗାଇବା, ସବସିଡି ସୀମିତ କରିବା ସମେତ ଋଣ ପାଇଁ ଋଣ ସଂସ୍କାର ପାଇଁ ପାକିସ୍ତାନ ସରକାର ପ୍ରତିଶ୍ରୁତି ଦେଇଛନ୍ତି।
ଏହା ଚୂଡ଼ାନ୍ତ କାର୍ଯ୍ୟକ୍ରମ ବୋଲି ପ୍ରମାଣ କରିବା ପାଇଁ ଆମକୁ ଆମର ନୀତି କାର୍ଯ୍ୟକାରୀ କରିବାକୁ ପଡ଼ିବ। ସଠିକ୍ ଆକାର ସ୍ଥିର କରିବା ପାଇଁ ମନ୍ତ୍ରଣାଳୟ ମଧ୍ୟରେ କାମ ଚାଲିଛି ବୋଲି ସେ କହିଛନ୍ତି। ୬ଟି ମନ୍ତ୍ରଣାଳୟ ବନ୍ଦ କରିବା ନିଷ୍ପତ୍ତି କାର୍ଯ୍ୟକାରୀ ହେବାକୁ ଥିବା ବେଳେ ୨ଟି ମନ୍ତ୍ରଣାଳୟ ର ମିଶ୍ରଣ ହେବ।
ଏହାବ୍ୟତୀତ ବିଭିନ୍ନ ମନ୍ତ୍ରଣାଳୟରେ ୧,୫୦,୦୦୦ ପଦବି ଉଚ୍ଛେଦ କରାଯିବ। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଗୋଟିଏ ବର୍ଷରେ ଟିକସଦାତାଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି ଏବଂ ଗତବର୍ଷ ୩ ଲକ୍ଷ ତୁଳନାରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ୭.୩୨ ଲକ୍ଷ ନୂଆ ଟିକସଦାତା ପଞ୍ଜୀକୃତ ହୋଇଛନ୍ତି। ଯେଉଁମାନେ ଟିକସ ଦେବେ ନାହିଁ ସେମାନେ ଆଉ ସମ୍ପତ୍ତି କିମ୍ବା ଗାଡି କିଣିପାରିବେ ନାହିଁ ବୋଲି ଔରଙ୍ଗଜେବ କହିଛନ୍ତି।
ଅଧିକ ପଢ଼ନ୍ତୁ: ୫ ମହଲା କୋଠାରୁ ଡେଇଁ ଜୀବନ ହାରିଲେ ସୋସିଆଲ ମିଡିଆ ଷ୍ଟାର