ନୂଆଦିଲ୍ଲୀ: ମ୍ୟାମାରରୁ ପୁଣି ଥରେ ରୋହିଙ୍ଗ୍ୟାଙ୍କୁ ନେଇ ଏକ ଦୁଃଖଦ ଖବର ଆସିଛି। ଦେଶ ଛାଡ଼ି ପଳାୟନ କରୁଥିବା ରୋହିଙ୍ଗ୍ୟାମାନଙ୍କ ଉପରେ ଡ୍ରୋନ୍ ଆକ୍ରମଣ ହୋଇଛି। ଏଥିରେ ୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ମୃତକମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା କୁହାଯାଉଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ସଂପର୍କୀୟମାନେ ମୃତଦେହ ଖୋଜିଛନ୍ତି। ଏହି ଆକ୍ରମଣ ମ୍ୟାମାର-ବାଂଲାଦେଶ ସୀମାରେ ଘଟିଛି।
ଜଣେ ଅଧିକାରୀ ନିଜ ନାମ ଗୋପନ ରଖି ଗଣମାଧ୍ୟମକୁ କହିଛନ୍ତି, ରଖାଇନ୍ ରାଜ୍ୟରେ ହୋଇଥିବା ଭୟଙ୍କର ଆକ୍ରମଣରେ ଜଣେ ଗର୍ଭବତୀ ଓ ତାଙ୍କର ୨ ବର୍ଷୀୟ ଶିଶୁକନ୍ୟାର ମୃତ୍ୟୁ ହୋଇଛି। ଏହି ଆକ୍ରମଣ ପାଇଁ ମିଲିଶିଆ ଓ ମ୍ୟାମାରର ସେନା ଜଣେ ଅନ୍ୟ ଉପରେ ଦୋଷାରୋପ କରିଛନ୍ତି। ଅଭିଯୋଗ ହୋଇଛି ଯେ, ବାଂଲାଦେଶ ଯିବା ପାଇଁ ଯେତେବେଳେ ଲୋକେ ଅପେକ୍ଷା କରିଥିଲେ, ସେହି ସମୟରେ ଆକ୍ରମଣ ହୋଇଥିଲା।
ରିପୋର୍ଟ ଅନୁସାରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଇଥିବା ଭିଡିଓରେ କାଦୂଅପୂର୍ଣ୍ଣ ସ୍ଥାନରେ ମୃତଦେହଗୁଡ଼ିକ ପୋତି ହୋଇଯାଇଥିଲା। ଆଖପାଖ ଅଞ୍ଚଳରେ ସୁଟକେଶ୍ ପଡ଼ିଥିଲା। ଅଘଟଣରୁ ବର୍ତ୍ତିଯାଇଥିବା ୩ ଜଣ ଲୋକଙ୍କ କହିବା ଅନୁସାରେ ଆକ୍ରମଣରେ ୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଲୋକ କହିଛନ୍ତି, ମୃତକଙ୍କ ସଂଖ୍ୟା ୭୦ ହେବ।