ନୂଆଦିଲ୍ଲୀ: ୨୫ ବର୍ଷ ପରେ ଶେଷରେ ସତ ମାନିଲା ପାକିସ୍ତାନ । ପାକିସ୍ତାନ ସେନା ପ୍ରଥମ ଥର ସାର୍ବଜନୀନ ଭାବେ ସ୍ଵୀକାର କରିଛି ଯେ, ଭାରତ ବିରୁଦ୍ଧରେ ୧୯୯୯ରେ କାରଗିଲ ଯୁଦ୍ଧରେ ଦେଶ ସାମିଲ ଥିଲା। ପ୍ରତିରକ୍ଷା ଦିବସ ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପାକିସ୍ତାନ ସେନା ପ୍ରମୁଖ ଜେନେରାଲ ଅସୀମ ମୁନୀର ଭାରତ ସହିତ ଅଲଗା ଅଲଗା ଯୁଦ୍ଧରେ ପ୍ରାଣ ହରାଇଥିବା ପାକିସ୍ତାନୀ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ଏହାର ଦୁଇ ଦଶନ୍ଧି ପୂର୍ବରୁ ପାକିସ୍ତାନ ଆନୁଷ୍ଠାନିକ ଭାବେ ଏହି ସଂପର୍କରେ କୌଣସି ଟିପ୍ପଣୀ ଦେବା ବେଳେ ସତର୍କତା ଅବଲମ୍ବନ କରୁଥିଲା।
ସୂଚନାଯୋଗ୍ୟ, ପ୍ରଥମ ଥର ପାକିସ୍ତାନ ସେନା ୧୯୯୯ କାରଗିଲ୍ ଯୁଦ୍ଧରେ ନିଜର ପ୍ରତ୍ୟକ୍ଷ ଭୂମିକାକୁ ସାର୍ବଜନୀନ ଭାବେ ସ୍ପଷ୍ଟ କରିଛି । ଆଜି ପର୍ଯ୍ୟନ୍ତ ଇସଲାମାବାଦ କାରଗିଲ୍ ସଂଘର୍ଷରେ ପ୍ରତ୍ୟକ୍ଷ ସୈନ୍ୟ ସାମିଲକୁ ମନା କରି ଆସୁଥିଲା । ଅନୁପ୍ରବେଶକାରୀଙ୍କୁ କାଶ୍ମୀରୀ ସ୍ୱାଧୀନତା ସଂଗ୍ରାମୀ ଏବଂ ମୁଜାହିଦ୍ଦିନ ବୋଲି କହି ଆସୁଥିଲା । ପାକିସ୍ତାନ ଦାବି କରୁଥିଲା ଯେ ତାଙ୍କ ସେନା କେବଳ ସକ୍ରିୟ ରୂପେ ପାଟ୍ରୋଲିଂ କରୁଥିଲା, ଅନ୍ୟ ପଟେ ଜନଜାତି ନେତା ଶିଖରକୁ କବଜା କରିଥିଲେ । ତେବେ ସେନା ପ୍ରମୁଖ କହିଛନ୍ତି, ସେ ୧୯୪୮ ହେଉ କି ୧୯୬୫, ୧୯୭୧ ହେଉ କିମ୍ବା ୧୯୯୯ ର କାରଗିଲ ଯୁଦ୍ଧ ହେଉ, ହଜାର ହଜାର ସୈନିକ ଦେଶ ଏବଂ ଇସଲାମ ପାଇଁ ନିଜର ବଳିଦାନ ଦେଇଛନ୍ତି।
ପାକିସ୍ତାନରେ ଭାରତର ପୂର୍ବତନ ହାଇକମିଶନର ଅଜୟ ବିସାରିୟା କହିଛନ୍ତି, 'ଏହା ସମସ୍ତେ ଜାଣନ୍ତି, କାରଗିଲର ଘଟଣାରୁ ପାକିସ୍ତାନକୁ କୌଣସି ଲାଭ ମିଳି ନାହିଁ ଏବଂ ଏହା ମୁଶାର୍ରଫଙ୍କ ମୂର୍ଖତା ଥିଲା, ଯାହାକୁ ସେ ଏବଂ ତାଙ୍କର ଚାରି ଜଣ ଜେନେରାଲଙ୍କ ଏକ ଗୋଷ୍ଠୀ ଘଟାଇଥିଲେ ।' ତେବେ ଜେନେରାଲ ମୁନୀର୮୍କ ବୟାନରେ ପାକିସ୍ତାନ ସ୍ଵୀକାର କରିଛି ଯେ, କାରଗିଲରେ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଥିଲା। ଯୁଦ୍ଧ ସମୟରେ ପାକିସ୍ତାନୀ ସେନା କାଶ୍ମୀରରେ ରଣନୈତିକ ଠିକଣା ଉପରେ କବଜା କରି ନେଇଥିଲେ। ପରବର୍ତ୍ତୀ ସମୟରେ ଭାରତ ମୁହଁତୋଡ଼ ଜବାବ ଦେଇଥିଲା।
ଉଲ୍ଲେଖଯୋଗ୍ୟ ଯେ ୧୯୯୯ର ଭୀଷଣ ଗ୍ରୀଷ୍ମ ବେଳେ ହିମାଳୟରେ ହଠାତ୍ କାରଗିଲ ଯୁଦ୍ଧ ଆରମ୍ଭ ହୋଇଥିଲା। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏଲଓସି ସାରା ଦୁନିଆର ଦୃଷ୍ଟି ଆକର୍ଷଣ କରିଥିଲା । କାରଗିଲ ଯୁଦ୍ଧରେ ଭାରତର ୫୨୭ ଯବାନ ବୀରଗତି ପ୍ରାପ୍ତ କରିଥିବା ବେଳେ ପାକିସ୍ତାନ ଆଜି ଯାଏ ତାରା କେତେ ଜଣ ଯବାନ ପ୍ରାଣ ହରାଇଥିଲେ ତାହା ସ୍ପଷ୍ଟ କରିନାହିଁ । କୁହାଯାଉଛି ଯେ ପାକିସ୍ତାନର ୨୭୦୦ରୁ ୪୦୦୦ ସୈନିକ କାରଗିଲ୍ ଯୁଦ୍ଧରେ ନିହତ ହୋଇଥିଲେ । ଭାରତ ପାଖରେ କାରଗିଲ ଯୁଦ୍ଧର ଅନେକ ପ୍ରମାଣ ମଧ୍ୟ ରହିଛି, ଯେଉଁଥିରେ ପାକିସ୍ତାନ କାରଗିଲ ଯୁଦ୍ଧରେ ଶୋଚନୀୟ ପରାଜୟ ଭୋଗିଥିବା ଉଲ୍ଲେଖ ରହିଛି।