ନୂଆଦିଲ୍ଲୀ: ମଙ୍କିପକ୍ସ ଭୂତାଣୁରୁ ନିରାକରଣକେ ନେଇ ଏକ ବଡ଼ ଖୁସି ଖବର ଆସିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚ୍ଓ) ଏମଫକ୍ସର ପ୍ରଥମ ଟୀକାକୁ ଅନୁମତି ପ୍ରଦାନ କରିଛି । ଫଳରେ ଆଫ୍ରିକା ମହାଦେଶରେ ଆତଙ୍କ ଖେଳାଇଥିବା ଏହି ରୋଗ ନିୟନ୍ତ୍ରଣକୁ ଆସିବାର ସମ୍ଭାବନା ଉଜ୍ଜୀବିତ ହୋଇଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବଭାରିଆନ୍ ନର୍ଡିକ ଟିକାର ନାମ ଘୋଷଣା କରିଛି । ଏମଭିଏ-ବିଏନ୍ ଟୀକା ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଦିଆଯାଇ ପାରିବ । ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍ ଦିଆଯିବ ବୋଲି ଡବ୍ଲୁଏଚ୍ଓ କହିଛି । ଉକ୍ତ ଟୀକା ମଙ୍କିଫକ୍ସ ବିରୋଧରେ ୭୬ ପ୍ରତିଶତ କାମ କରିବ ଡବ୍ଲୁଏଚ୍ଓ ଦାବି କରିଛି । ତେବେ ଏହା ଦ୍ୱାରା ମଙ୍କିଫକ୍ସ ମୁକାବିଲା କରିବାର ସମ୍ଭାବନା ବୃଦ୍ଧି ପାଇଛି ।
ଡବ୍ଲୁଏଚ୍ଓର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ କହିଛନ୍ତି ଯେ ମଙ୍କିପକ୍ସ ବିରୋଧରେ ଲଢ଼େଇରେ ଏହି ଟିକା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ଟୀକାର ସମାନତା ପ୍ରଦାନ ପାଇଁ ଉତ୍ପାଦନ, ଖରିଦାରୀ, ଦାନ ଏବଂ ବିତରଣକୁ ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି ।
ଚଳିତ ବର୍ଷ ଆଫ୍ରିକାର ୧୪ଟି ଦେଶରେ ୨୫ ହଜାର ୨୩୭ଟି ମଙ୍କିଫକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଥିମଧ୍ୟରୁ ୭୨୩ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।