ନୂଆଦିଲ୍ଲୀ: ଭାରତ ସରକାର ଓ ଇସ୍ରାଏଲ ସରକାର ମଧ୍ୟରେ ୨୦୨୨୩ରେ ନିଯୁକ୍ତିକୁ ନେଇ ଏକ ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ଏଥିରେ ଇସ୍ରାଏଲରେ କାମ କରିବାକୁ ଥିବା ଶ୍ରମଜୀବୀଙ୍କ ଉପରେ ଆଲୋଚନା ହୋଇଥିଲା । ଏହାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । ସମଗ୍ର ଦେଶରୁ ୧୦ ହଜାର କୁଶଳୀ ଶ୍ରମିକଙ୍କ ଚୟନ କରାଯିବ । ସେପ୍ଟେମ୍ବର ୧୬ ଅର୍ଥାତ ଆସନ୍ତାକାଲିଠୁ ଏହାର ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । କାମ ପାଇଁ ଇଚ୍ଛୁକ ଶ୍ରମଜୀବୀଙ୍କୁ ନିର୍ମାଣ କ୍ଷେତ୍ରରେ କାମ କରିବାର ସୁଯୋଗ ମିଳିବ ।
ଇସ୍ରାଏଲ ଭାରତକୁ କାମର ନୀରିକ୍ଷଣ ପାଇଁ ୫୦୦୦ ଲୋକ ଦେବାକୁ ଅନୁରୋଧ କରିଥିଲା । ବିଶେଷ କରି ଯାହାଙ୍କ ପାଖରେ ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ପ୍ରମାଣ ପତ୍ର ରହିଥିବ । ଯିଏ ଅତି କମରେ ୯୯୦ ଘଣ୍ଟାର କାମ କରିଥିବ । ଏ ନେଇ ଇସ୍ରାଏଲ ସରକାରଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ ଆସନ୍ତା ସପ୍ତାହରେ ଭାରତ ଗସ୍ତ କରିବେ ।
ବିିଶେଷ କରି ଫ୍ରେମୱାର୍କ, ଆଇରନ ବେଡିଙ୍ଗ, ପ୍ଲାଷ୍ଟରିଙ୍ଗ ଏବଂ ସେରେମିକ ଟାଇଲିଙ୍ଗରେ ଦକ୍ଷତା ପ୍ରାପ୍ତ ଶ୍ରମିକଙ୍କୁ ଇସ୍ରାଏଲରେ ଚାକିରି ମିଳିବ । ଏ ସଂପର୍କରେ ୨୦୨୩ ନଭେମ୍ବରରେ ଭାରତ ଓ ଇସ୍ରାଏଲ ସରକାର ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା ।
ଉଲ୍ଲେଖନୀୟ ହମାସର ଆକ୍ରମଣ ପରେ ଇସ୍ରାଏଲ ପାଲେଷ୍ଟାଇନ ଶ୍ରମିକଙ୍କ ପାଇଁ ୱାର୍କ ପରମିଟ ସସପେଣ୍ଡ କରିଛି । ଏହା ପରେ ଇସ୍ରାଏଲକୁ ଶ୍ରମିକଙ୍କ ସଙ୍କଟ ଦେଇ ଗତି କରିବାକୁ ପଡିଛି । କୁଶଳୀ ଶ୍ରମିକଙ୍କ ଅଭାବ କାରଣରୁ ଦେଶରେ ନିର୍ମାଣ କାମ ଠପ୍ ପଡିଛି । ଏଥିାପଇଁ ଇସ୍ରାଏଲ ଏବେ ଭାରତର କୁଶଳୀ ଶ୍ରମିକଙ୍କୁ ନିଜ ଦେଶରେ ନିଯୁକ୍ତି ଦେଉଛନ୍ତି । ଏଥିରେ ଭାରତ ସରକାର ସହଯୋଗ ହାତ ବଢାଇଛନ୍ତି ।