ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣି ଥରେ ଆକ୍ରମଣ କରାଯାଇଛି। ରବିବାର ସେ ଫ୍ଲୋରିଡାର ୱେଷ୍ଟ ପାମ ବିଚ୍ରେ ଥିବା ନିଜ ଗଲ୍ଫ କୋର୍ସରେ ଖେଳୁଥିବା ବେଳେ ଗୁଳିକାଣ୍ଡ ଘଟିଥିଲା। ଏହି ଘଟଣାକୁ ନେଇ ଏଫବିଆଇ ଏକ ବିବୃତି ଜାରି କରିଛି।
ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ତାଙ୍କ ସୁରକ୍ଷା ଓ ସୁସ୍ଥତା ବିଷୟରେ ସୂଚନା ଦେଇଛନ୍ତି। ଏଥିସହ ସିକ୍ରେଟ୍ ସର୍ଭିସ୍ ମଧ୍ୟ ଏହି ମାମଲାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପରେ ଡୋନାଲ୍ଡ ଟ୍ରମ୍ପ ତାଙ୍କ ସମର୍ଥକଙ୍କୁ ଏକ ବାର୍ତ୍ତା ଜାରି କରି କହିଛନ୍ତି, ମୁଁ ସୁରକ୍ଷିତ ଅଛି। ମୁଁ ମୋ ଚାରିପାଖରେ ଗୁଳି ଶବ୍ଦ ଶୁଣିଥିଲି, କିନ୍ତୁ ଘଟଣା ବିଷୟରେ କୌଣସି ଗୁଜବ ପ୍ରସାରିତ ହେବା ପୂର୍ବରୁ, ମୁଁ ସ୍ପଷ୍ଟ କରିବାକୁ ଚାହେଁ ଯେ ମୁଁ ସୁସ୍ଥ ଏବଂ ସୁରକ୍ଷିତ ଅଛି। ଗଲ୍ଫ କୋର୍ସରେ ଗୁଳିକାଣ୍ଡ ପରେ ଟ୍ରମ୍ପ ତାଙ୍କ ମାର୍-ଏ-ଲାଗୋ ରିସୋର୍ଟକୁ ଫେରିଛନ୍ତି।
ଫ୍ଲୋରିଡାର ୱେଷ୍ଟ ପାମ ବିଚ୍ ସ୍ଥିତ ଟ୍ରମ୍ପ ଇଣ୍ଟରନ୍ୟାସନାଲ ଗଲ୍ଫ କୋର୍ସ ନିକଟରେ ରବିବାର ଅପରାହ୍ନ ପ୍ରାୟ ୨ଟା ବେଳେ ଏକାଧିକ ଗୁଳି ଚାଳନା କରାଯାଇଥିଲା। କ୍ଲବ୍ ନିକଟରେ ବନ୍ଧୁକ ଧରି ଜଣେ ବ୍ୟକ୍ତିଙ୍କୁ ଦେଖି ଆମେରିକାର ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟମାନେ ଗୁଳି ଚଳାଇଥିଲେ। ଅନ୍ୟପକ୍ଷରେ ଏଫବିଆଇ କହିଛି ଯେ ସେ ହତ୍ୟା ଉଦ୍ୟମର ତଦନ୍ତ କରୁଛନ୍ତି।
ପାମ୍ ବିଚ୍ କାଉଣ୍ଟି ଶେରିଫ୍ ରିକ୍ ବ୍ରାଡ୍ ସା କହିଛନ୍ତି, 'ଆମେରିକା। ଟ୍ରମ୍ପ ଗଲ୍ଫ କୋର୍ସରେ ଥିବା ବେଳେ କ୍ଲବ୍ ରେ ରାଇଫଲ ଧରିଥିବା ଜଣେ ବ୍ୟକ୍ତିଙ୍କୁ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟମାନେ ଗୁଳି କରିଥିଲେ ବୋଲି ବ୍ରାଡ୍ ସା କହିଛନ୍ତି। ପରେ ବନ୍ଧୁକଧାରୀକୁ ନିକଟସ୍ଥ ଏକ କାଉଣ୍ଟିରୁ ଗିରଫ କରାଯାଇଥିଲା।
ରାଷ୍ଟ୍ରପତି ଜୋ ବାଇଡେନ ଓ ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଏହି ଘଟଣା ସମ୍ପର୍କରେ ଅବଗତ କରାଯାଇଛି ବୋଲି ହ୍ଵାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି। ସେପଟେ ତାଙ୍କ ରାଷ୍ଟ୍ରପତି ପ୍ରତିଦ୍ୱନ୍ଦ୍ୱୀ କମଳା ହାରିସ ଏହି ଘଟଣାକୁ ନିନ୍ଦା କରିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ଆମେରିକାରେ ହିଂସାପାଇଁ କୌଣସି ସ୍ଥାନ ନାହିଁ। ଏହି ଘଟଣାକୁ ନେଇ ଆଲାନ୍ ମାସ୍କଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ଏପରିକି ଜୋ ବାଇଡେନ/କମଳା ହାରିସଙ୍କୁ କେହି ହତ୍ୟା କରିବାକୁ ଚେଷ୍ଟା କରୁନାହାନ୍ତି ବୋଲି ସେ ସୋସିଆଲ ମିଡିଆରେ ଲେଖିଛନ୍ତି।
ଅଧିକ ପଢ଼ନ୍ତୁ: ଇସ୍ରାଏଲରେ ଜବ୍ କରିବାର ସୁଯୋଗ