ଢାକା: ପାଣିପାଗ ବିଭାଗର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଭାରତରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ବାଂଲାଦେଶୀ ଅଧିକାରୀମାନେ ଯୋଗ ଦେବେ ନାହିଁ। ୟୁନୁସ୍ ସରକାରଙ୍କ ଅଧୀନରେ ଥିବା ବାଂଲାଦେଶ ଅଧିକାରୀମାନେ ସରକାରୀ ଖର୍ଚ୍ଚରେ ଅଣ-ଅତ୍ୟାବଶ୍ୟକ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଥିବା ଦର୍ଶାଇ ଏହି ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ଆଇଏମଡିର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଜାନୁଆରୀ ୧୪ତାରିଖରେ ଦିଲ୍ଲୀର ମଣ୍ଡପମରେ ହେବାକୁ ଥିବା ଏହି ସେମିନାର ପାଇଁ ଅବିଭକ୍ତ ଭାରତର ଅଂଶ ଥିବା ପାକିସ୍ତାନ, ବାଂଲାଦେଶ ଏବଂ ପଡ଼ୋଶୀ ଦେଶଗୁଡ଼ିକୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି। ଏଥିରେ ଅଂଶଗ୍ରହଣ କରିବା ନେଇ ପାକିସ୍ତାନ ନିଶ୍ଚିତ କରିସାରିଛି। କିନ୍ତୁ ବାଂଲାଦେଶ ଏଥିରେ ସାମିଲ ହେବାକୁ ମନା କରିଦେଇଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି।
ବାଂଲାଦେଶ ପାଣିପାଗ ବିଭାଗ (ବିଏମଡି)ର କାର୍ଯ୍ୟକାରୀ ନିର୍ଦ୍ଦେଶକ ମୋମିନୁଲ ଇସଲାମ ଏକ ମାସ ପୂର୍ବରୁ ଆଇଏମଡିଠାରୁ ନିମନ୍ତ୍ରଣ ପାଇଥିବା ନିଶ୍ଚିତ କରିଛନ୍ତି। ଏହାର ୧୫୦ତମ ବାର୍ଷିକୀ ପାଳନ କରିବାକୁ ଭାରତୀୟ ପାଣିପାଗ ବିଭାଗ ଆମକୁ ନିମନ୍ତ୍ରଣ କରିଛି। ଆମେ ଉତ୍ତମ ସମ୍ପର୍କ ବଜାୟ ରଖୁଛୁ ଏବଂ ସେମାନଙ୍କୁ ସହଯୋଗ ଜାରି ରଖିଛୁ । ଇସଲାମ ଗଣମାଧ୍ୟମକୁ କହିଛନ୍ତି, ଆମେ ଏହି କାର୍ଯ୍ୟକ୍ରମକୁ ଯାଉନାହୁଁ କାରଣ ସରକାରୀ ଅନୁଦାନପ୍ରାପ୍ତ ଅଣ-ଅତ୍ୟାବଶ୍ୟକ ବିଦେଶ ଯାତ୍ରାକୁ ସୀମିତ କରିବା ପାଇଁ ବାଧ୍ୟତାମୂଳକତା ରହିଛି।
ବ୍ରିଟିଶ ଶାସନ କାଳରେ ୧୮୭୫ମସିହାରେ ସ୍ଥାପିତ ଆଇଏମ୍ଡ଼ିକୁ ଜାନୁଆରୀ ୧୫ରେ ୧୫୦ ବର୍ଷ ପୂରିବ। ୧୮୬୪ ମସିହାରେ କଲିକତାରେ ଏକ ବାତ୍ୟା ଏବଂ ୧୮୬୬ ଓ ୧୮୭୧ ମସିହାରେ ମୌସୁମୀ କ୍ରମାଗତ ବିଫଳ ହେବା ପରେ ଏହା ସ୍ଥାପିତ ହୋଇଥିଲା। ଏକଦା ଏକ ସରଳ ଢାଞ୍ଚା ଥିବା ଏହି ସଂସ୍ଥା ଏବେ ପାଣିପାଗ ପୂର୍ବାନୁମାନ, ଯୋଗାଯୋଗ ଏବଂ ବୈଜ୍ଞାନିକ ଉଦ୍ଭାବନର କେନ୍ଦ୍ର ପାଲଟିଛି। ପାଣିପାଗ ବିଭାଗର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି ସେମିନାର ପାଇଁ ଅବିଭକ୍ତ ଭାରତର ଅଂଶ ଥିବା ପାକିସ୍ତାନ, ବାଂଲାଦେଶ ଏବଂ ପଡ଼ୋଶୀ ଦେଶଗୁଡ଼ିକୁ ନିମନ୍ତ୍ରଣ ପଠାଯାଇଛି। ଏଥିରେ ପାକିସ୍ତାନ, ଆଫଗାନିସ୍ତାନ, ମିଆଁମାର, ବାଂଲାଦେଶ, ଭୁଟାନ, ମାଳଦ୍ୱୀପ, ଶ୍ରୀଲଙ୍କା ଓ ନେପାଳର ଅଧିକାରୀମାନଙ୍କୁ ନିମନ୍ତ୍ରଣ କରାଯାଇଛି।
ଅଧିକ ପଢ଼ନ୍ତୁ: ଭେନେଜୁଏଲାର ରାଷ୍ଟ୍ରପତି ଭାବେ ଶପଥ ନେଲେ ନିକୋଲାସ ମାଦୁରୋ