ୱାଶିଂଟନ: ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇପାରେ। ଜାନୁଆରୀ ୨୦ରେ ଟ୍ରମ୍ପ୍ଙ୍କ ଶପଥ ଗ୍ରହଣ ପରେ ହିଁ ଏହି ଆଲୋଚନାକୁ ନେଇ କୌଣସି ଠୋସ୍ ପଦକ୍ଷେପ ନିଆଯାଇପାରିବ। ଏହା ପୂର୍ବରୁ ଟ୍ରମ୍ପ କହିଥିଲେ ଯେ ତାଙ୍କ ଏବଂ ପୁଟିନଙ୍କ ମଧ୍ୟରେ ଏକ ବୈଠକ ପାଇଁ ଯୋଜନା କରାଯାଉଛି, କିନ୍ତୁ ସେ ଆଲୋଚନା ପାଇଁ କୌଣସି ସମୟସୀମା ଦେଇନଥିଲେ।
କ୍ରେମଲିନ୍ ମୁଖପାତ୍ର ରୁଷ୍ର ଦୀର୍ଘମିଆଦୀ ଆଭିମୁଖ୍ୟକୁ ନିଶ୍ଚିତ କରିଛନ୍ତି ଯେ ମସ୍କୋ ଆଲୋଚନା ପାଇଁ ପ୍ରସ୍ତୁତ ଅଛି। ଗୁରୁବାର ଟ୍ରମ୍ପ ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଆଲୋଚନା କରିବା ପାଇଁ ତାଙ୍କୁ ଭେଟିବାକୁ ଚାହୁଁଛନ୍ତି ବୋଲି ଦେଇଥିବା ବୟାନ ଉପରେ ଏକ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି।
ଆସନ୍ତା ଜାନୁଆରି ୨୦ ତାରିଖରେ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ଫେବ୍ରୁଆରି ୨୦୨୨ରୁ ଚାଲିଥିବା ରୁଷିଆ-ୟୁକ୍ରେନ ଯୁଦ୍ଧର କୂଟନୈତିକ ସମାଧାନ ହୋଇପାରିବ ବୋଲି ଆଶା କରାଯାଉଛି।
ମିଡିଆ ରିପୋର୍ଟ ଅନୁଯାୟୀ, ବାଇଡେନ୍ ପ୍ରଶାସନ ରୁଷିଆର ତୈଳ ଏବଂ ଗ୍ୟାସ୍ କ୍ଷେତ୍ରରେ ସମ୍ପୃକ୍ତ ୨୦୦ରୁ ଅଧିକ କମ୍ପାନୀ ଏବଂ ବ୍ୟକ୍ତିବିଶେଷଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କଟକଣା ଯୋଗୁଁ ପ୍ରତି ମାସରେ ରୁଷିଆକୁ କୋଟି କୋଟି ଡଲାର କ୍ଷତି ସହିବାକୁ ପଡ଼ିବ ବୋଲି ଶୁକ୍ରବାର ପ୍ରଶାସନ କହିଛି। ରୁଷ୍ ଉପରେ ଆମେରିକାର କଟକଣା ଉଲ୍ଲଂଘନ କରିଥିବାରୁ ବାଇଡେନ ପ୍ରଶାସନ ସ୍କାଏହାର୍ଟ ମ୍ୟାନେଜମେଣ୍ଟ ସର୍ଭିସେସ୍ ଏବଂ ଏଭିଏସନ୍ ମ୍ୟାନେଜମେଣ୍ଟ ସର୍ଭିସେସ୍ ନାମକ ଦୁଇଟି ଭାରତୀୟ କମ୍ପାନି ଉପରେ ପ୍ରତିବନ୍ଧକ ଲଗାଇଛି।
ରୁଷ୍ ଅଧିକୃତ ଡୋନେସ୍କରେ ଥିବା ଏକ ସୁପରମାର୍କେଟକୁ ୟୁକ୍ରେନ କ୍ଷେପଣାସ୍ତ୍ର ରେ ଟାର୍ଗେଟ କରିଛି। ଏହି ଆକ୍ରମଣରେ ଦୁଇ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ରୁଷିଆର ଏହି ଅଭିଯୋଗ ଉପରେ ୟୁକ୍ରେନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।