ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲୱାନ ସମେତ ୪ଟି ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର ପ୍ରସଙ୍ଗରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଶୁକ୍ରବାର କହିଛି ଯେ ଋଷରେ ହୋଇଥିବା ବୈଠକରେ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ପାଇଁ ପରିସ୍ଥିତି ସୃଷ୍ଟି କରିବା ପାଇଁ ଭାରତ ଏବଂ ଚୀନ୍ ମିଳିତ ଭାବେ କାର୍ଯ୍ୟ କରିବାକୁ ରାଜି ହୋଇଛନ୍ତି।
ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟି ରୁଷିଆର ସେଣ୍ଟ ପିଟର୍ସବର୍ଗଠାରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକରେ ସୁରକ୍ଷା ବ୍ୟାପାର ପାଇଁ ଦାୟିତ୍ୱରେ ଥିବା ଉଚ୍ଚସ୍ତରୀୟ ଅଧିକାରୀଙ୍କ ବୈଠକ ଅବସରରେ ଆଲୋଚନା କରିଥିଲେ।
ପୂର୍ବ ଲଦାଖରେ ସାମରିକ ବିବାଦ ଯୋଗୁଁ ୪ ବର୍ଷରୁ ଅଧିକ ସମୟ ଧରି ଦ୍ୱିପାକ୍ଷିକ ସମ୍ପର୍କରେ ଜମା ହୋଇଥିବା ବରଫ ହଟାଇବା ପାଇଁ ଦୁଇ ଦେଶ ନିକଟତର କି ବୋଲି ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ୍ଙ୍କୁ ପଚରାଯାଇଥିଲା। ମାଓ କହିଛନ୍ତି ଯେ ଉଭୟ ସେନା ୪ଟି ଅଞ୍ଚଳରୁ ପ୍ରତ୍ୟାହାର କରିନେଇଛନ୍ତି ଏବଂ ସୀମାରେ ସ୍ଥିତି ସ୍ଥିର ରହିଛି। ଗତ କିଛି ବର୍ଷ ମଧ୍ୟରେ ଗଲୱାନ ଉପତ୍ୟକା ସମେତ ଚୀନ-ଭାରତ ସୀମାର ପଶ୍ଚିମ ସେକ୍ଟରର ୪ଟି ସ୍ଥାନରୁ ଉଭୟ ଦେଶର ଆଗୁଆ ସେନା ସେନା ପ୍ରତ୍ୟାହାର କାର୍ଯ୍ୟ ଶେଷ କରିଛନ୍ତି। ଚୀନ-ଭାରତ ସୀମାରେ ସ୍ଥିତି ସାଧାରଣତଃ ସ୍ଥିର ଓ ନିୟନ୍ତ୍ରଣାଧୀନ ରହିଛି।
ଜେନେଭାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବୟାନ ଦେବାର ଗୋଟିଏ ଦିନ ପରେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ଜୟଶଙ୍କର କହିଥିଲେ ଯେ ଚୀନ୍ ସହ ପ୍ରାୟ ୭୫ ପ୍ରତିଶତ 'ବିଚ୍ଛିନ୍ନତା ସମସ୍ୟା'ର ସମାଧାନ ହୋଇସାରିଛି, କିନ୍ତୁ ସବୁଠାରୁ ବଡ଼ ସମସ୍ୟା ହେଉଛି ସୀମାରେ ବଢ଼ୁଥିବା ସାମରିକୀକରଣ।
ଦୁଇ ଦେଶର ସରକାର ମୁଖ୍ୟଙ୍କ ସହମତିକୁ କାର୍ଯ୍ୟକାରୀ କରିବା, ପାରସ୍ପରିକ ବୁଝାମଣା ଓ ବିଶ୍ୱାସ ବୃଦ୍ଧି କରିବା, ନିରନ୍ତର ଯୋଗାଯୋଗ ବଜାୟ ରଖିବା ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରୋତ୍ସାହିତ କରିବା ପାଇଁ ପରିସ୍ଥିତି ସୃଷ୍ଟି କରିବାକୁ ଚୀନ୍ ଓ ଭାରତ ରାଜି ହୋଇଛନ୍ତି। ଚୀନ୍ କମ୍ୟୁନିଷ୍ଟ ପାର୍ଟି ସେଣ୍ଟ୍ରାଲ୍ କମିଟିର ପଲିଟିକାଲ ବ୍ୟୁରୋର ସଦସ୍ୟ ଓ୍ଵାଙ୍ଗ୍ ଗୁରୁତ୍ୱାରୋପ କରିଛନ୍ତି ଯେ ଦୁଇ ପ୍ରାଚୀନ ପ୍ରାଚ୍ୟ ସଭ୍ୟତା ଏବଂ ଉଦୀୟମାନ ବିକାଶଶୀଳ ଦେଶ ଭାବରେ ଏକ ଅଶାନ୍ତ ବିଶ୍ୱର ସମ୍ମୁଖୀନ ହେଉଥିବା ଚୀନ୍ ଏବଂ ଭାରତ ସ୍ୱାଧୀନତା ବଜାୟ ରଖିବା, ଏକତା ଏବଂ ସହଯୋଗ ବାଛିବା ଏବଂ ପରସ୍ପରକୁ ଆଘାତ ନ ଦେବା ଉଚିତ୍।
ଅଧିକ ପଢ଼ାନ୍ତୁ: ୧୦୦ରୁ ଅଧିକ ରେଳ ଷ୍ଟେସନରେ ଖାଦ୍ୟ ପରିବେଷଣ କରିବ ଜୋମାଟୋ