ନୂଆଦିଲ୍ଲୀ: ଭାରତର ବୁଲଡୋଜର ଆକ୍ସନର ଧ୍ୱନି ଏବେ ଆମେରିକାରେ ବି ଶୁଣିବାକୁ ମିଳିଛି । ଆମେରିକାରେ ଏବେ ହ୍ୱାଇଟ ହାଉସରେ ମଧ୍ୟ ବୁଲଡୋଜର ଆକ୍ସନ ଦେଖିବାକୁ ମିଳିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅକ୍ଟୋବର ୨୦ରେ ହ୍ୱାଇଟ ହାଉସର ଇଷ୍ଟ ୱିଙ୍ଗରେ ବୁଲଡୋଜର ଓ କ୍ରେନ ଲଗାଇଛନ୍ତି । ଏମିତି ପଦକ୍ଷେପ ନିଆଯିବାର ଉଦ୍ଦେଶ୍ୟ ହ୍ୱାଇଟ ହାଉସରେ ଦୁନିଆର ସବୁଠୁ ବଡ ଏବଂ ଭବ୍ୟ ବାଲରୁମ ତିଆରି କରିବା ।
ଟ୍ରମ୍ପଙ୍କ ଅନୁସାରେ, ଏହି ବାଲରୁମ ୯୦ ହଜାର ବର୍ଗ ଫୁଟ ପରିମିତ ଜମିରେ ତିଆରି ହେବ । ଏହାର ମୋଟ୍ ବଜେଟ୍ ୨୦୦ରୁ ୨୫୦ ମିଲିୟନ ଡଲାର ରହିଛି । ନୂଆ ବାଲରୁମରେ ପ୍ରାୟ ୬୫୦ ଜଣ ଲୋକ ସହଜରେ ବସି ପାରିବେ । ଏହାକୁ ସ୍ୱତନ୍ତ୍ର ଭାବେ ଡିଜାଇନ କରାଯାଉଛି, ଯଦ୍ୱାରା ଏଥିରେ ବଡ ସମାରୋହ, ପାର୍ଟି, ମିଟିଂ ଓ ଅନ୍ୟ କାର୍ଯ୍ୟକ୍ରମ ହୋଇ ପାରିବ । ବାଲରୁମରେ ସୁନାର ଝୁମର, ଗିଲଡେଡ କଲମ, ଚେକର୍ଡ ମାର୍ବଲ ଫ୍ଲୋର ଓ ବଡ କବାଟ ଲଗାଯିବ ।
ଉଲ୍ଲେଖନୀୟ ୧୫ ବର୍ଷ ପୂର୍ବେ ହ୍ୱାଇଟ ହାଉସରେ ଏକ ଭବ୍ୟ ଆୟୋଜନ ସ୍ଥଳ ତିଆରି କରିବାକୁ ସ୍ୱପ୍ନ ଦେଖିଥିଲେ ଟ୍ରମ୍ପ । ତାଙ୍କର ଉଦ୍ଦେଶ୍ୟ ରାଷ୍ଟ୍ରପତି ନିଜର ଅତିଥିଙ୍କ ପାଇଁ ବଡ କାର୍ଯ୍ୟକ୍ରମ ସହଜରେ ଆୟୋଜନ କରି ପାରିବେ । ସେ ବାରମ୍ବାର କହି ଆସିଛନ୍ତି ଯେ, ବର୍ତ୍ତମାନ ଇଷ୍ଟ ରୁମ ଛୋଟ କାର୍ଯ୍ୟକ୍ରମ ପାଇଁ ବି ଜାଗା ପର୍ଯ୍ୟାପ୍ତ ନୁହେଁ ।
ଇଷ୍ଟ ୱିଙ୍ଗ ୧୯୦୨ରେ ନିର୍ମାଣ ହୋଇଥିଲା ଏବଂ ୧୯୪୨ରେ ଶେଷ ଥର ଏହାର ନବୀକରଣ କରାଯାଇଥିଲା । ଏବେ ଏହାକୁ ବୁଲଡୋଜର ଲଗାଇ ଧ୍ୱସ୍ତ କରାଯାଉଛି, ଯଦ୍ୱାରା ଏହାକୁ ନୂତନ ଭାବେ ଭବ୍ୟ ସହକାରେ ନିର୍ମାଣ କରାଯାଇ ପାରିବ । ଟ୍ରମ୍ପ କହିଛନ୍ତି ଏହି ପ୍ରକଳ୍ପ ସଂପୂର୍ଣ୍ଣ ଭାବେ ନିଜସ୍ୱ ଫଣ୍ଡିଂରେ ହେବ । ଟ୍ରମ୍ପ ଏବଂ ତାଙ୍କର ନିଜସ୍ୱ ଦାତାମାନେ ଏହା ଉପରେ ଅର୍ଥ ଖର୍ଚ୍ଚ କରିବେ ।
Also read: ଇରାନର ପରମାଣୁ ପ୍ରତିଷ୍ଠାନ ଉପରେ ବୋମା ପକାଇବା ନେଇ ଆମେରିକାର ଦାବିକୁ ଖାମେନିଙ୍କ ପ୍ରତ୍ୟାଖ୍ୟାନ