ଏବେ ସାରା ବିଶ୍ୱରେ ଚିନ୍ତା ବଢାଇବ ସୁନା ଓ ତେଲର ଦର । ଏବେ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ସାରା ବିଶ୍ୱର ନୀତି ନିର୍ଦ୍ଧାରକମାନେ ଏବେ ଚିନ୍ତାରେ ଅଛନ୍ତି ।
ଯୁଦ୍ଧ କିଭଳି ତେଲ ଓ ସୁନା ବଜାରକୁ ପ୍ରଭାବିତ କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ବର୍ତ୍ତମାନ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦାମ୍ ବ୍ୟାରେଲ ପିଛା ୮୫ ଡଲାର ରହିଛି । ସ୍ଥାନୀୟ ବଜାରରେ ସୁନାର ୧୦ ଗ୍ରାମ ପିଛା ଦାମ୍ ୫୮ ହଜାର ଟଙ୍କାରୁ କମ୍ ରହିଛି । ରୁଷ୍-ୟୁକ୍ରେନ ଯୁଦ୍ଧ ତେଲ ବଜାରକୁ ଗୁରୁତର ଭାବେ ପ୍ରଭାବିତ କରିଥିଲା । କାରଣ ରୁଷ୍ ଥିଲା ଏକ ପ୍ରମୁଖ ତେଲ ଉତ୍ପାଦନକାରୀ ଦେଶ । କେବଳ ତେଲ ନୁହେଁ ଖାଦ୍ୟସାମଗ୍ରୀ ଦରକୁ ମଧ୍ୟ ସେହି ଯୁଦ୍ଧ ପ୍ରଭାବିତ କରିଥିଲା । ଯେହେତୁ ଦୀର୍ଘଦିନ ହେଲାଣି ଏହି ଦୁଇ ଦେଶ ଯୁଦ୍ଧ କରୁଛନ୍ତି । ତେଣୁ ଏହାର ପ୍ରଭାବ ସହିତ ବିଶ୍ବର ବିଭିନ୍ନ ଦେଶ ପ୍ରଭାବିତ ହେଉଛନ୍ତି । ଗୋଟିଏ ଯୁଦ୍ଧ ସରିନଥିବା ବେଳେ ହଠାତ୍ ଆଉ ଏକ ଯୁଦ୍ଧ ତେଲ ବଜାରର ସମୀକରଣକୁ ବଦଳାଇଦେବ ବୋଲି ଆଶଙ୍କା କରାଯାଉଛି । ଶୀତ ଋତୁ ପାଖେଇ ଆସୁଥିବାରୁ ୟୁରୋପରେ ଡିଜେଲ ଚାହିଦା ବଢ଼ିବ । କିନ୍ତୁ ଏପଟେ ରୁଷ୍ ଓ ସାଉଦି ଆରବ ତେଲ ଉତ୍ପାଦନ କମ୍ କରିଛନ୍ତି ।
ଯଦି ଇସ୍ରାଏଲ-ହମାସ ଯୁଦ୍ଧ ପାଇଁ ବଜାର ପ୍ରଭାବିତ ହେବ ତେବେ ଆଗାମୀ ଦିନରେ ତେଲ ଦର ବଢ଼ିବାର ଆଶଙ୍କା ରହିଛି । ଯଦି ସେଭଳି କିଛି ଘଟିବ , ତେବେ ନିଜ ଆବଶ୍ୟକତା ଠାରୁ ପ୍ରାୟେ ୮୦ ପ୍ରତିଶତ ତେଲ ଆମଦାନି କରୁଥିବା ଭାରତ କ୍ଷତିଗ୍ରସ୍ତ ହେବ । ସେହିପରି, ସୁନା ବଜାର ହେଉଛି ଆଉ ଏକ କ୍ଷେତ୍ର ଯାହା ଉପରେ ବିଶେଷଜ୍ଞମାନଙ୍କ ନଜର ରହିଛି ।
ଆଗକୁ ପଢନ୍ତୁ :- ଅର୍ଥନୀତିରେ ନୋବେଲ ପୁରସ୍କାର ପାଇବେ କ୍ଲାଉଡିଆ ଗୋଲଡିନ