ଯେରୁଶାଲମ: ଗାଜାର ପଶ୍ଚିମତଟରେ ଇସ୍ରାଏଲ ସାମରିକ ଅଭିଯାନ ଜାରି ରଖିଛି। ଏଥିରେ ଦୁଇ ଦିନ ମଧ୍ୟରେ ଅତି କମରେ ୧୬ ଜଣ ପାଲେଷ୍ଟାଇନ୍ ନାଗରିକ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଥିଲେ ପାଲେଷ୍ଟାଇନ ଇସଲାମିକ ଜିହାଦର ଅନ୍ୟତମ ସାମରିକ ଗୁଇନ୍ଦା କମାଣ୍ଡର ଓସାମା ଗଦାଲ୍ଲା। ଦକ୍ଷିଣ ଗାଜାର ରଫର ଅଞ୍ଚଳରେ ଇସ୍ରାଏଲର ଆକ୍ରମଣରେ ଗଦାଲ୍ଲା ନିହତ ହୋଇଥିଲେ। ୧୦ରୁ ଅଧିକ ୱାଣ୍ଟେଡ୍ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଶତାଧିକ ବିସ୍ଫୋରକ ସାମଗ୍ରୀ ନଷ୍ଟ କରିବା ସହ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।
ଇସ୍ରାଏଲ ତୁଲକରମ୍ର ଏକ ମସଜିଦରେ ଲୁଚି ରହିଥିବା ୫ ଜଣ ପାଲେଷ୍ଟାଇନ୍ ଲଢୁଆଙ୍କୁ ନିହତ କରିଛି, ଯେଉଁଥିରେ ଜଣେ ସ୍ଥାନୀୟ କମାଣ୍ଡର ଅବୁ ସୁଜା ମଧ୍ୟ ଅଛନ୍ତି। ଇସ୍ରାଏଲ ବୁଧବାର ପଶ୍ଚିମତଟରେ ଥିବା ସହରଗୁଡ଼ିକୁ ଘେରାଉ କରି ଏକ ବଡ଼ ସାମରିକ ଅଭିଯାନ ଆରମ୍ଭ କରିଛି, ଯେଉଁଥିରେ ୧୨ ଜଣ ପାଲେଷ୍ଟାଇନ୍ ଲଢୁଆ ନିହତ ହୋଇଛନ୍ତି। ଅବୁ ସୁଜା ନାମରେ ପରିଚିତ ମହମ୍ମଦ ଜାବେର ତୁଲକେରେମ ସହରରେ ଚଢ଼ାଉ କରି ନିହତ ହୋଇଥିବା ଇସଲାମିକ ଜିହାଦ ଆତଙ୍କବାଦୀ ସଂଗଠନ ନିଶ୍ଚିତ କରିଛି।
ଇସ୍ରାଏଲ ସେନା କହିଛି ଯେ ଗୁରୁବାର ସକାଳେ ନିହତ ହୋଇଥିବା ଅବୁ ସୁଜା ଇସ୍ରାଏଲ ଉପରେ ଅନେକ ଆକ୍ରମଣରେ ସମ୍ପୃକ୍ତ ଥିଲା। ସେନା କହିଛି ଯେ ତୁଲକେରୁମ୍ ସହରରେ ଅପରେସନ ରେ ଅନ୍ୟ ଅନେକ ପାଲେଷ୍ଟାଇନ୍ ମିଲିସିଆଙ୍କୁ ଗିରଫ କରାଯାଇଛି। ଇସ୍ରାଏଲ ସେନା ଉପରେ ଆତ୍ମଘାତୀ ବୋମା ବିସ୍ଫୋରଣ ପାଇଁ ହମାସର ପୂର୍ବତନ ମୁଖ୍ୟ ଖାଲିଦ ମଶାଲ ଙ୍କ ଆହ୍ୱାନ ପରେ ଏଭଳି ପରିସ୍ଥିତିର କିପରି ମୁକାବିଲା କରାଯିବ ସେ ନେଇ ଆଲୋଚନା କରିବା ପାଇଁ ଇସ୍ରାଏଲ ସୁରକ୍ଷା କ୍ୟାବିନେଟ୍ ବୈଠକ ଡକାଯାଇଛି।
ବ୍ରସେଲ୍ସରେ ଅନୁଷ୍ଠିତ ୟୁରୋପୀୟ ସଂଘର ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଇସ୍ରାଏଲ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଥିବା ଅଭିଯୋଗ ହୋଇଛି। ଗାଜା ଏବଂ ପଶ୍ଚିମତଟରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ୟୁରୋପୀୟ ସଂଘ (ଇୟୁ) ଇସ୍ରାଏଲ ସହ ସମ୍ପର୍କର ପୁନର୍ବିଚାର କରିବା ଉଚିତ ବୋଲି ଆୟର୍ଲାଣ୍ଡ ଏବଂ ବ୍ଳକର ଶୀର୍ଷ କୂଟନୀତିଜ୍ଞ ଗୁରୁବାର କହିଛନ୍ତି।
ପ୍ରାୟ ୬,୪୦,୦ ଶିଶୁଙ୍କୁ ଟିକା ଦେବା ପାଇଁ ଇସ୍ରାଏଲ ସେନା ଏବଂ ହାମାସ ଗାଜା ଉପତ୍ୟକାରେ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ଜଣେ ବରିଷ୍ଠ ଅଧିକାରୀ ଗୁରୁବାର କହିଛନ୍ତି। ରବିବାରଠାରୁ ଟିକାକରଣ ଅଭିଯାନ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ପାଲେଷ୍ଟାଇନ୍ ଅଞ୍ଚଳ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବରିଷ୍ଠ ଅଧିକାରୀ ରିକ୍ ପେପରକୋର୍ଣ୍ଣ କହିଛନ୍ତି, ରବିବାରଠାରୁ ଟୀକାକରଣ ଅଭିଯାନ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରୀୟ ଗାଜାରେ ୩ ଦିନ ପାଇଁ ସଂଘର୍ଷ ସ୍ଥଗିତ ରଖାଯାଇଛି।
ଅଧିକ ପଢ଼ନ୍ତୁ: ବାଂଲାଦେଶ ଆନ୍ଦୋଳନରେ ୪୦୦ ଉର୍ଦ୍ଧ୍ବ ଲୋକ ହରାଇଲେ ଦୃଷ୍ଟିହୀନ