ଯେରୁଜେଲମ: ଗାଜାରେ ପୁଣି ଥରେ ଇସ୍ରାଏଲର ଆକ୍ରମଣରେ ୪୦ ଜଣଙ୍କ ମୃତ୍ୟୁ ଘଟିଛି। ଅଧିକାଂଶ ମୃତକ ଗାଜାର କେନ୍ଦ୍ରରେ ଥିବା ନୁସିରାଟ ଶରଣାର୍ଥୀ ଅଞ୍ଚଳରେ ପ୍ରାଣ ହରାଇଥିଲେ। ଏମାନଙ୍କୁ ମିଶାଇ ଗାଜାରେ ଇସ୍ରାଏଲର ଆକ୍ରମଣରେ ଏପର୍ଯ୍ୟନ୍ତ ପ୍ରାୟ ୪୪,୩୦୦ ପାଲେଷ୍ଟାଇନ ନିହତ ହୋଇଛନ୍ତି। ପଶ୍ଚିମ ତଟରେ ଆରିଆଲ ସହର ନିକଟରେ ଇସ୍ରାଏଲିମାନଙ୍କୁ ନେଇ ଯାଉଥିବା ଏକ ବସ୍ ଉପରକୁ ଜଣେ ପାଲେଷ୍ଟାଇନ୍ ଗୁଳି ଚଳାଇବାରୁ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି।
ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଏବେ ଗାଜାରେ ଅସ୍ତ୍ରବିରତିର ଆବଶ୍ୟକତା ରହିଛି। ସେ ଇସ୍ରାଏଲ ଓ ହମାସକୁ କାର୍ଯ୍ୟକଳାପ ହ୍ରାସ କରିବା ଏବଂ ସଂଘର୍ଷରୁ ଦୂରେଇ ରହିବାକୁ ଅନୁରୋଧ କରିଛନ୍ତି। ବାଇଡେନ୍ ଗାଜାରେ ଅସ୍ତ୍ରବିରତି ପାଇଁ ଏକ ନୂଆ ପ୍ରୟାସ ର ସଙ୍କେତ ଦେଇଛନ୍ତି। ବୁଧବାର ଲେବାନନରେ ଅସ୍ତ୍ରବିରତି ଲାଗୁ ହୋଇଥିବା ବେଳେ ଇସ୍ରାଏଲ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିବା ସୂଚନା ମିଳିଛି।
ସିରିଆର ଦ୍ୱିତୀୟ ବୃହତ୍ତମ ସହର ଆଲେପ୍ପୋରେ ବିଦ୍ରୋହୀ ଓ ସରକାରୀ ବାହିନୀ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଛି। ସହରରେ ଦୁଇଟି କାର୍ ବୋମା ବିସ୍ଫୋରଣ ପରେ ଏହି ସଂଘର୍ଷ ଆରମ୍ଭ ହୋଇଥିଲା। ସଂଘର୍ଷରେ ଆଲେପ୍ପୋ ବିଶ୍ୱବିଦ୍ୟାଳୟ ପରିସରରେ ଅନେକ ରକେଟ୍ ମାଡ଼ ହୋଇଥିଲା, ଯେଉଁଥିରେ ଦୁଇ ଜଣ ଛାତ୍ରଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଥିଲା।
ସହର ସୀମା ନିକଟରେ ଥିବା ଅନେକ ଉପାନ୍ତ ଏବଂ ଗ୍ରାମ ବିଦ୍ରୋହୀଙ୍କ ନିୟନ୍ତ୍ରଣରେ ରହିଛି ଏବଂ ସବୁବେଳେ ସଂଘର୍ଷର ଆଶଙ୍କା ରହିଛି । ସଦ୍ୟତମ ସଂଘର୍ଷ ପାଇଁ ଇରାନ ଆମେରିକା ଓ ଇସ୍ରାଏଲକୁ ଦାୟୀ କରିଛି। ସେମାନଙ୍କ ସମର୍ଥନରେ ବିଦ୍ରୋହୀମାନେ ପୁଣି ଥରେ ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା କୁହାଯାଉଛି।
ଅଧିକ ପଢ଼ନ୍ତୁ: ପୁଡୁଚେରୀ ନିକଟରେ ସ୍ଥଳଭାଗ ଛୁଇଁବ ସାମୁଦ୍ରିକ ଝଡ଼ ‘ଫେଙ୍ଗଲ’