ବେରୁତ: ଇସ୍ରାଏଲ ବିରୋଧରେ ହାମାସର ବର୍ବରତାକୁ ଆଜି ଏକ ବର୍ଷ ପୂରିଛି। ଅକ୍ଟୋବର ୭ ତାରିଖ ବାର୍ଷିକୀ ଅବସରରେ ହମାସ କିମ୍ବା ହିଜବୁଲ୍ଲା ଉପରେ ଇସ୍ରାଏଲ ବଡ଼ଧରଣର ଆକ୍ରମଣ କରିପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଲେବାନନରେ ଇସ୍ରାଏଲ ବାୟୁସେନା ଗାଜା-ପାଲେଷ୍ଟାଇନରେ ଥିବା ହିଜବୁଲ୍ଲା ଓ ହାମାସ ଘାଟି ଉପରେ ଲଗାତାର ଏୟାର ଷ୍ଟ୍ରାଇକ୍ କରୁଛି।
ସୂଚନାଯୋଗ୍ୟ, ଗତବର୍ଷ ଆଜିର ଦିନରେ ଇସ୍ରାଏଲରେ ହମାସ ପ୍ରବେଶ କରି ଗଣହତ୍ୟା କରିଥିଲା। ହମାସର ଏହି ବର୍ବରତାରେ ୧୨୦୦ରୁ ଊର୍ଦ୍ଧ୍ବ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୫୦ ଜଣଙ୍କୁ ବନ୍ଧକ ରଖାଯାଇଥିଲା। ହମାସର ହେପାଜତରେ ଏବେ ପ୍ରାୟ ୧୦୦ ଜଣ ଇସ୍ରାଏଲ ବନ୍ଦୀ ଅଛନ୍ତି।
ହାମାସ ଆକ୍ରମଣର ବାର୍ଷିକୀର ଠିକ୍ ଗୋଟିଏ ଦିନ ପୂର୍ବରୁ ଆଇଡିଏଫ ଲେବାନନ୍ ଏବଂ ଗାଜା ଷ୍ଟ୍ରିପ୍ ରେ ହିଜବୁଲ୍ଲା ସ୍ଥାନରେ ଇସ୍ରାଏଲ ବୋମା ମାଡ଼ କରିଛି। ଏଥିରେ କୋଠାଘର କ୍ଷତିଗ୍ରସ୍ତ ହୋଇଛି। ରକେଟ୍ ଆକ୍ରମଣରେ ୧୦ ଜଣ ଆହତ ହୋଇଛନ୍ତି।
ଇସ୍ରାଏଲ ସେନା (ଆଇଡିଏଫ) ପାଲେଷ୍ଟାଇନରେ ଥିବା ହାମାସ ଟାର୍ଗେଟ ଉପରେ ନିର୍ଦ୍ଦିଷ୍ଟ ଆକ୍ରମଣ କରିଥିବା ଦାବି କରିଛି। ଆଇଡିଏଫ ଅନୁଯାୟୀ, ସେମାନେ ଦିର ଅଲ-ବାଲାହ ଅଞ୍ଚଳରେ ଥିବା 'ଶୁହାଦା ଅଲ୍-ଆକ୍ସା' ଡାକ୍ତରଖାନା ଭିତରେ ଥିବା ହମାସର କମାଣ୍ଡ ଏବଂ କଣ୍ଟ୍ରୋଲ୍ ସେଣ୍ଟରକୁ ନଷ୍ଟ କରିଦେଇଥିଲେ। ଏହି କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟରକୁ ହାମାସ ଲଢୁଆମାନେ ବ୍ୟବହାର କରୁଥିଲେ।
ଅଧିକ ପଢ଼ନ୍ତୁ: କଳାଦିନର ପ୍ରଥମ ବାର୍ଷିକୀ ଆଜି