ଜେରୁସେଲମ: ଇସ୍ରାଏଲ ଉପରେ ଗତବର୍ଷ ଆଜିର ଦିନରେ ସବୁଠାରୁ ବଡ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ପାଲେଷ୍ଟାଇନ ଉଗ୍ରବାଦୀ ସଂଗଠନ ହମାସ ଦ୍ୱାରା କରାଯାଇଥିଲା, ଯେଉଁଥିରେ ମାତ୍ର ଗୋଟିଏ ଦିନରେ ଇସ୍ରାଏଲର ୧୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ୨୫୧ ଜଣଙ୍କୁ ହାମାସ ଲଢୁଆମାନେ ବନ୍ଧକ ରଖିଥିଲେ। ୨୦୨୩ ଅକ୍ଟୋବର ୭ ତାରିଖ ସକାଳ ପ୍ରାୟ ସାଢ଼େ ୬ଟା ବେଳେ ପାଲେଷ୍ଟାଇନ୍ ଆତଙ୍କବାଦୀ ସଂଗଠନ ହାମାସ୍ ଦକ୍ଷିଣ ଇସ୍ରାଏଲ ଉପରକୁ ୫,୦୦୦ ରକେଟ୍ ନିକ୍ଷେପ କରିଥିଲା। ଏହାପରେ ଶହ ଶହ ହାମାସ ଲଢୁଆ ଇସ୍ରାଏଲରେ ପ୍ରବେଶ କରିଥିଲେ । ସେମାନେ ଲୋକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହି ଦିନ ସାରା ଦେଶ ସୁକୋଟ ନାମକ ଏକ ଧାର୍ମିକ ପର୍ବ ପାଳନ କରୁଥିଲା। ଏହି ଆକ୍ରମଣର ନାମ ହାମାସ ପକ୍ଷରୁ ଫ୍ଲଡ୍ ଅଫ୍ ଅଲ୍-ଅକ୍ସା ରଖାଯାଇଛି।
ଅକ୍ଟୋବର ୮ ରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ ଜରିଆରେ ହମାସ ଆକ୍ରମଣର ଜବାବ ଦେଇଥିଲା। ଇସ୍ରାଏଲ ଅପରେସନ୍ ୱାର୍ଡସ ଅଫ୍ ଆଇରନ୍ ଆରମ୍ଭ କରିଥିଲା, ଗାଜାକୁ ସମ୍ପୂର୍ଣ୍ଣ ଘେରାଉ କରିଥିଲା ଏବଂ ଗାଜା ଉପତ୍ୟକାର ଉତ୍ତର ଭାଗରେ ରହୁଥିବା ପ୍ରାୟ ୧.୫ ନିୟୁତ ଲୋକଙ୍କୁ ସେମାନଙ୍କ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା।
ବର୍ଷେ ପରେ ମଧ୍ୟ ଏହାର ସାର ଦେଖିବାକୁ ମିଳୁଛି, ଯେତେବେଳେ ଗାଜାନମାନେ ଜଳ, ଖାଦ୍ୟ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧାର ଘୋର ଅଭାବର ସମ୍ମୁଖୀନ ହେଉଛନ୍ତି। ଯଦି ଆମେ କେବଳ ଗାଜା କଥା କହିବା ତେବେ ସେଠାରେ ଥିବା ପ୍ରାୟ ୭୦ ପ୍ରତିଶତ କୋଠା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୪୨,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି। ସେମାନଙ୍କ ମଧ୍ୟରୁ ୧୬,୭୬୫ ଜଣ ଶିଶୁ ଅଛନ୍ତି। ଏଥିସହିତ ପାଖାପାଖି ୯୮ ହଜାର ଲୋକ ଆହତ ହୋଇଛନ୍ତି। ୧୦ ହଜାରରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଅନ୍ୟପକ୍ଷରେ ଏହି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୧୩୯ ଜଣ ଇସ୍ରାଏଲୀ ନିହତ ହୋଇଥିବା ବେଳେ ୮୭୩୦ ଜଣ ଆହତ ହୋଇଛନ୍ତି। ଏହାବ୍ୟତୀତ ଏହି ଆକ୍ରମଣରେ ୧୨୫ ଜଣ ସାମ୍ବାଦିକମଧ୍ୟ ପ୍ରାଣ ହରାଇଛନ୍ତି।
ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ଆକ୍ରମଣରେ ଗାଜା ଉପତ୍ୟକାରେ ଥିବା ୮୦ ପ୍ରତିଶତ ବାଣିଜ୍ୟିକ ପ୍ରତିଷ୍ଠାନ ନଷ୍ଟ ହୋଇଯାଇଛି। ୮୭ ପ୍ରତିଶତ ସ୍କୁଲ କୋଠା ଭୁଶୁଡ଼ି ପଡ଼ିଛି। ଗାଜା ଷ୍ଟ୍ରିପ୍ ରେ ୧,୪୪,୦ରୁ ୧୭୫,୦ କୋଠା କ୍ଷତିଗ୍ରସ୍ତ କିମ୍ବା ନଷ୍ଟ ହୋଇଛି। ୩୬ଟି ହସ୍ପିଟାଲ ମଧ୍ୟରୁ ମାତ୍ର ୧୭ଟି କାର୍ଯ୍ୟକ୍ଷମ ରହିଛି। ୬୮ ପ୍ରତିଶତ ସଡ଼କ ନେଟୱର୍କ ନଷ୍ଟ ହୋଇଥିବା ବେଳେ ୬୮ ପ୍ରତିଶତ ଚାଷ ଜମି ଉଜୁଡ଼ି ଯାଇଛି।
ଅର୍ଥନୈତିକ କ୍ଷତି ବିଷୟରେ କହିବାକୁ ଗଲେ ଗାଜାର ଜିଡିପି ୮୧ ପ୍ରତିଶତ ହ୍ରାସ ପାଇଛି। ୨.୦୧ ଲକ୍ଷ ଲୋକ ବେରୋଜଗାର ହୋଇଛନ୍ତି। ପାଖାପାଖି ୨୦ ନିୟୁତ ଲୋକ ବାସହୀନ ଅଛନ୍ତି। ୮୫ ହଜାର ପାଲେଷ୍ଟାଇନ୍ ଶ୍ରମିକ ଚାକିରି ହରାଇଛନ୍ତି।
ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ଯୋଗୁଁ ଗାଜା ଉପତ୍ୟକାରେ ଏପର୍ଯ୍ୟନ୍ତ ୪୨ ନିୟୁତ ଟନ୍ରୁ ଅଧିକ ଆବର୍ଜନା ଫିଙ୍ଗି ଦିଆଯାଇଛି। ନ୍ୟୁୟର୍କରୁ ସିଙ୍ଗାପୁର ପର୍ଯ୍ୟନ୍ତ ବିସ୍ତାରିତ ଡମ୍ପ ଟ୍ରକ୍ ଗୁଡ଼ିକର ଲାଇନ୍ ପୂରଣ କରିବା ପାଇଁ ଏହା ଯଥେଷ୍ଟ। ଏହାକୁ ହଟାଇବା ପାଇଁ ଅନେକ ବର୍ଷ ଲାଗିପାରେ ଏବଂ ୭୦୦ ନିୟୁତ ଡଲାର ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରେ।
ଅଧିକ ପଢ଼ନ୍ତୁ: ବିସ୍ଫୋରଣରେ ଜଣେ ମୃତ, ୧୧ ଆହତ