କରାଚୀ: ରବିବାର ବିଳମ୍ବିତ ରାତିରେ ପାକିସ୍ତାନର କରାଚୀ ବିମାନବନ୍ଦର ନିକଟରେ ଏକ ବଡ଼ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏହାର ସ୍ୱର ସମଗ୍ର ସହରରେ ଶୁଣିବାକୁ ମିଳିଛି। ପ୍ରାଥମିକ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୨ ଜଣ ଚୀନ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ପୁଲିସ ବିସ୍ଫୋରଣ ଘଟଣାର ତଦନ୍ତ କରୁଛି। ଭିଡିଓରେ ଦେଖିବାକୁ ମିଳୁଛି ବିମାନବନ୍ଦର ନିକଟରେ ଧୂଆଁର ପ୍ରକୋପ ବଢ଼ିବାରେ ଲାଗିଛି।
ଉତ୍ତର ନାଜିମାବାଦ, ଆଇଆଇ ଚୁନ୍ଦ୍ରିଗର ରୋଡ୍ ଏବଂ କରାଚିର କରିମାବାଦ ସମେତ ଅନ୍ୟାନ୍ୟ ଅଞ୍ଚଳରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା। ବିସ୍ଫୋରଣ ଯୋଗୁଁ ଅନେକ କାର୍ ରେ ନିଆଁ ଲାଗିଯାଇଥିଲା। ସମସ୍ତ ଆହତଙ୍କୁ ଜିନ୍ନା ସ୍ନାତକୋତ୍ତର ମେଡିକାଲ କଲେଜ (ଜେପିଏମ୍ସି)ରେ ଭର୍ତ୍ତି କରାଯାଇଛି।
ସିନ୍ଧ ଗୃହମନ୍ତ୍ରୀ ଜିଆ-ଉଲ-ହାସନ ସ୍ଥାନୀୟ ଟିଭି ଷ୍ଟେସନ ଜିଓକୁ କହିଛନ୍ତି ଯେ ଏହା ବିଦେଶୀ ନାଗରିକଙ୍କ ଉପରେ ଆକ୍ରମଣ। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କାର୍ ରେ ନିଆଁ ଲାଗିଛି ଏବଂ ଘଟଣାସ୍ଥଳରୁ ଧୂଆଁ ବାହାରୁଛି।
ସିନ୍ଧ ଗୃହମନ୍ତ୍ରୀ ଜିଆଉଲ ହାସନ ଲାଞ୍ଜର କହିଛନ୍ତି ଯେ ବିସ୍ଫୋରଣ ଏକ ବିସ୍ଫୋରକ ଉପକରଣ ଦ୍ୱାରା ହୋଇଛି। ଏଥିରେ ଜଣେ ବିଦେଶୀ ନାଗରିକ ମଧ୍ୟ ଆହତ ହୋଇଛନ୍ତି। ଏହା ପୂର୍ବରୁ ଲାଞ୍ଜରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଏୟାରପୋର୍ଟ ରୋଡରେ ଏକ ଟ୍ୟାଙ୍କର ବିସ୍ଫୋରଣ ହୋଇଛି। ତେବେ କ୍ରାଇମ୍ ଇନ୍ଭେଷ୍ଟିଗେସନ୍ ଡିପାର୍ଟମେଣ୍ଟ (ସିଆଇଡି)ର ମହାନିର୍ଦ୍ଦେଶକ ଆସିଫ୍ ଏଜାଜ୍ ଶେଖ୍ କହିଛନ୍ତି ଯେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ।
ଅଧିକ ପଢ଼ନ୍ତୁ: ଲେବାନନ ଉପରେ ଇସ୍ରାଏଲର ଆକ୍ରମଣ ଜାରି