ନୂଆଦିଲ୍ଲୀ: ଲେବାନନ ଉପରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି । ଇସ୍ରାଏଲ ସେନା ବେରୁଟର ଦକ୍ଷିଣ ଉପନଗର ଉପରେ ୩୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ କରିଛି । ଏହି ଆକ୍ରମଣକୁ ଲେବାନନ ମିଡିଆ ସବୁଠୁ ହିଂସକ ଆକ୍ରମଣ ବୋଲି ଦର୍ଶାଇଛି । ହିଜବୁଲ୍ଲାର ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଥିବା ଇସ୍ରାଏଲ କହିଛି ।
ଇସ୍ରାଏଲ ସେନା ରବିବାର ସକାଳେ ଏକ ମସଜିକ ଉପରେ ଏୟାର ଷ୍ଟ୍ରାଇକ ରହିଛି । ଆଇଡିଏଫ ଦାବି କରିଛି ଯେ, ମସଜିଦ ଓ ସ୍କୁଲର ବ୍ୟବହାର ହମାସର କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର ଭାବେ ବ୍ୟବହାର କରାଯାଉଥିଲା । ଏହି ଏୟାରଷ୍ଟ୍ରାଇକରେ ୨୪ ଜଣଙ୍କ ମୃତ୍ୟୁ ଘଟିଥିବା ଦାବି କରାଯାଇଛି ।
ଅନ୍ୟପଟେ ଉତ୍ତର ଗାଜାରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି । ଇସ୍ରାଏଲ ଉତ୍ତର ଗାଜାର ବଡ ଅଞ୍ଚଳକୁ ଖାଲି କରିବାକୁ ଲୋକଙ୍କୁ ଅପିଲ୍ କରିଛି । ସେନା କହିଛି ଯେ, ହମାସ ଏହି ସବୁ ଅଞ୍ଚଳରେ ଆତଙ୍କବାଦୀ ଭିତ୍ତିଭୂମି ସ୍ଥାପନ କରିଛି । ସ୍ଥାନୀୟ ଲୋକଙ୍କୁ ଶୋଷଣା କରୁଛି । ଲୋକଙ୍କୁ ହ୍ୟୁମାନ ସିଲ୍ଡ ଭାବେ ବ୍ୟବହାର କରୁଛି । ତେଣୁ ଇସ୍ରାଏଲ ସେନା ଆତଙ୍କବାଦୀ ସଂଗଠନ ବିରୋଧରେ ନିଜର କାର୍ଯ୍ୟାନୁଷ୍ଠାନ ଜାରି ରଖିବ ।
ଅନ୍ୟପଟେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନକୁ ଦୃଷ୍ଟିରେ ରଖି ଆମେରିକା ବେରୁଟରୁ ନିଜର ୧୪୫ ଜଣ ନାଗରିକଙ୍କୁ ଫେରାଇ ନେଇଛି । ଶନିବାର ଦୁଇଟି ଉଡାଣରେ ୧୪୫ ଜଣଙ୍କୁ ବେରୁଟରୁ କଢା ଯାଇଛି । ଏ ପର୍ଯ୍ୟନ୍ତ ଲେବାନନର ରାଜଧାନୀ ବେରୁଟରୁ ୬୦୦ରୁ ଅଧିକ ଆମେରିକୀୟ ନାଗରିକଙ୍କୁ ଲେବାନନରୁ କଢା ଯାଇଛି । ସେହିପରି ଅଷ୍ଟ୍ରେଲିଆ ୪୦୭ ନିଜ ନାଗରିକଙ୍କୁ ସୁରକ୍ଷିତ ସ୍ଥାନ ପଠାଇଛି ।