ଇସଲାମାବାଦ, ଜୁନ୍ ୨୫ (ଖବର ଓଡ଼ିଶା): ପାକିସ୍ତାନର ରାଷ୍ଟ୍ରପତି ଡ. ଆରିଫ ଅଲଭୀ ଇସଲାମୋଫୋବିଆକୁ ନେଇ ପୁଣି ଥରେ ଭାରତ ବିପକ୍ଷରେ ବିଷ ଓଗାଳିଛନ୍ତି । ସେ ପାକିସ୍ତାନରେ ତୁର୍କୀର ରାଷ୍ଟ୍ରଦୂତ ଏହସାନ ମୁସ୍ତାଫା ୟୁରଦକୁଲଙ୍କ ସହିତ ଆଲୋଚନା କରି କହିଛନ୍ତି ଯେ, ବିଶ୍ୱବ୍ୟାପୀ, ବିଶେଷକରି ଭାରତରେ ଇସଲାମୋଫୋବିଆ ବଢ଼ିଛି । ପାକିସ୍ତାନୀ ରାଷ୍ଟ୍ରପତି କହିଛନ୍ତି ଯେ, ଭାରତରେ ଧାର୍ମିକ ସଂଖ୍ୟାଲଘୁ, ବିଶେଷକରି ମୁସଲମାନଙ୍କୁ ବଳପୂର୍ବକ ଡରାଯାଉଛି ଓ ଧମକ ଦିଆଯାଉଛି । ସଂଖ୍ୟାଲଘୁ ସଂପ୍ରଦାୟଙ୍କ ଘର ଓ ମସଜିଦ ଭଙ୍ଗାରୁଜା କରାଯାଉଛି । ସେମାନଙ୍କର ଧାର୍ମିକ ପ୍ରତୀକ ଏବଂ ପବିତ୍ର ବ୍ୟକ୍ତିତ୍ୱକୁ ଉପହାସ କରାଯାଉଛି । ସର୍ବେପରି ସଂଖ୍ୟାଲଘୁଙ୍କୁ ଅପମାନ ଦିଆଯାଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ୟୁରଦକୁଲ ଗୁରୁବାର ପାକିସ୍ତାନୀ ରାଷ୍ଟ୍ରପତିଙ୍କୁ ଇସଲାମାବାଦସ୍ଥିତ ରାଷ୍ଟ୍ରପତି ଭବନରେ ଭେଟିଥିଲେ। ଏହି ସାକ୍ଷାତକାର ସମୟରେ ଇସଲାମୋଫୋବିଆ ଓ ଭାରତର କଶ୍ମୀର ଉପରେ ସେ ଚର୍ଚ୍ଚା କରିଥିଲେ । ଆରଫି ଅଲଭୀ ମାର୍ଚ୍ଚ ୧୫କୁ ଇସଲାମୋଫୋବିଆ ପାଇଁ ଅନ୍ତର୍ଜାତୀୟ ଦିବସ ଘୋଷଣା କରାଯିବାକୁ ନେଇ ତୁର୍କୀ ଓ ପାକିସ୍ତାନ ସମେତ ଅନ୍ୟ ମୁସଲିମ ଦେଶ ସହିତ ଏକାଠି ହୋଇ ଇସଲାମିକ ସହଯୋଗ ସଂଗଠନ ଓ ସଂଯୁକ୍ତ ରାଷ୍ଟ୍ର ମହାସଭା ଆଦି ଅନ୍ତର୍ଜାତୀୟ ମଂଚରେ ଏହାରି ଉପରେ ଚର୍ଚ୍ଚା କରିଥିଲେ ।