କରୋନା: ଫ୍ରାନ୍ସରେ ୨୪ ଘଣ୍ଟାରେ ୮୩୩ ମୃତ, ମୃତକଙ୍କ ସଂଖ୍ୟା ପହଞ୍ଚିଲା ୮୯୧୧
Khabar Odisha:International-France-reports-record-toll-of-833-new-coronavirus-deaths-in-24-hours-total-death-8911

ପ୍ୟାରିସ, ଏପ୍ରିଲ ୦୭ (ଖବର ଓଡ଼ିଶା): ଫ୍ରାନ୍ସରେ କରୋନା ଭାଇରସରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ୮୩୩ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । କରୋନା ମହାମାରୀ ଆରମ୍ଭ ହେବା ପରେ ଦୈନିକ ମୃତ୍ୟୁ ଘଟଣାରେ ଏହା ହେଉଛି ବଡ଼ ରେକର୍ଡ । ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଓଲିଭିୟର ୱେରନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଫ୍ରାନ୍ସରେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୮ ହଜାର ୯୧୧ରେ ପହଞ୍ଚିଛି ।  ଏଥି ସହ ଦେଶରେ ମଙ୍ଗଳବାର ପୂର୍ବାହ୍ନ ସାଢ଼େ ୭ଟା ପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୯୮ ହଜାର ୧୦ ଥିବା ବେଳେ ୧୭ ହଜାର ୨୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

କରୋନା ଭାଇରସ ଯୋଗୁଁ ଫ୍ରାନ୍ସରେ ଗତ ମାର୍ଚ୍ଚ ୧୭ରେ ଲକଡାଉନ ଘୋଷଣା କରାଯାଇଥିଲା । ମାତ୍ର କରୋନା ଭାଇରସ ମୃତ୍ୟୁ ସଂଖ୍ୟା ହ୍ରାସ ପାଇ ନାହିଁ । ଫ୍ରାନ୍ସ ଏବେ ହସ୍ପିଟାଲ ସମେତ ନର୍ସିଂ ହୋମରେ ମଧ୍ୟ ମୃତ୍ୟୁ ସଂଖ୍ୟା ଜାରି କରୁଛି । ପୂର୍ବରୁ କେବଳ ହସ୍ପିଟାଲର ମୃତ୍ୟୁ ସଂଖ୍ୟା ଜାରି କରାଯାଉଥିଲା । 

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ନୂଆ ମାମଲାରେ ୬୦୫ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । ସେ କହିଛନ୍ତି, ଏବେ ଏହା ସମାପ୍ତ ହୋଇ ନାହିଁ, ଆମେ ବହୁ ଦୂରରେ ଅଛୁ । ରାସ୍ତା ଅନେକ ଦୂର ବାକି ଅଛି । ସେ ଲୋକଙ୍କୁ ଘର ଭିତରେ ରହିବାକୁ ଅପିଲ କରିଛନ୍ତି । ସେ କହିଛନ୍ତି, ବିଗତ ୨୪ ଘଣ୍ଟା ମଧ୍ୟରେ ୪୭୮ ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । 

ସୂଚନାଯୋଗ୍ୟ, ସମଗ୍ର ବିଶ୍ୱରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୩ ଲକ୍ଷ ୪୬ ହଜାର ୫୬୬ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୭୪ ହଜାର ୬୯୭ ରେକର୍ଡ କରାଯାଇଛି । ସେଥିରୁ ୨ ଲକ୍ଷ ୭୮ ହଜାର ୬୯୫ ଜଣଙ୍କ ସ୍ୱାସ୍ଥ୍ୟ ଭଲ ହୋଇଛି । ଇଟାଲୀରେ ସର୍ବାଧିକ ୧୬ ହଜାର ୫୨୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ପେନରେ ଜୀବନ ହରାଇଛନ୍ତି ୧୩ ହଜାର ୩୪୧ ଜଣ ।

 

  • Tags:

Subscribe

National International State Sports Entertainment