ନିକଟରେ ପ୍ରକାଶ ପାଇଛି ହେନଲେ ପାସପୋର୍ଟ ଇଣ୍ଡେକ୍ସ ୨୦୨୪ ରିପୋର୍ଟ। ଏହି ରିପୋର୍ଟରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ ଶୀର୍ଷ ସ୍ଥାନରେ ଅଛି ଫ୍ରାନ୍ସ। କୌଣସି ଦେଶର ପାସପୋର୍ଟ କେତେ ଶକ୍ତିଶାଳୀ, ତାହା ହେନଲେ ଇଣ୍ଡେକ୍ସ ଦ୍ୱାରା ପ୍ରକାଶ କରା ଯାଇଥାଏ। ଅର୍ଥାତ୍ ଯେଉଁ ଦେଶର ପାସପୋର୍ଟ ବ୍ୟବହାର କରି ବିନା ଭିସାରେ ସବୁଠାରୁ ଅଧିକ ଦେଶ ଯାତ୍ରା କରିହେବ, ସେହି ପାସପୋର୍ଟ ସବୁଠାରୁ ଶକ୍ତିଶାଳୀ ବୋଲି ସୂଚାଇଥାଏ ଏହି ରିପୋର୍ଟ।
ଏହି ରିପୋର୍ଟ ଅନୁଯାୟୀ ଫ୍ରାନ୍ସ ପାସପୋର୍ଟଧାରୀ ୧୯୪ ଦେଶକୁ ବିନା ଭିସାରେ ଯାତ୍ରା କରି ପାରୁଥିବାରୁ ଏହି ଦେଶକୁ ଶୀର୍ଷ ସ୍ଥାନ ମିଳିଛି। ହେନଲେ ପାସପୋର୍ଟ ଇଣ୍ଡେକ୍ସରେ ଫ୍ରାନ୍ସ ସହିତ ଜର୍ମାନୀ, ଇଟାଲୀ, ଜାପାନ, ସିଙ୍ଗାପୁର ଏବଂ ସ୍ପେନ ମଧ୍ଯ ଶୀର୍ଷ ସ୍ଥାନରେ ରହିଛି।
ଏହି ରିପୋର୍ଟରେ ୧୯୩ ଭିସା ଫ୍ରି ଡେଷ୍ଟିନେସନ ସହିତ ଦ୍ଵିତୀୟ ସ୍ଥାନରେ ଫିନଲାଣ୍ଡ, ଦକ୍ଷିଣ କୋରିଆ ଏବଂ ସ୍ଵିଡେନ ରହିଥିବା ବେଳେ ତୃତୀୟ ସ୍ଥାନରେ ୧୯୨ ଭିସା ଫ୍ରି ଡେଷ୍ଟିନେସନ ସହିତ ଅଷ୍ଟ୍ରିଆ ମଧ୍ୟ ରହିଛି।
ସେହିପରି ଶକ୍ତିଶାଳୀ ପାସପୋର୍ଟ ରିପୋର୍ଟରେ ଭାରତ ୮୫ ତମ ସ୍ଥାନରେ ରହିଥିବା ବେଳେ ମାଳଦ୍ବୀପ ୫୮ତମ ସ୍ଥାନ ହାସଲ କରିଛି I ମାଳଦୀପର ପାସପୋର୍ଟ ଧାରୀ ୯୬ ଦେଶରେ ବିନାଭିସାରେ ଯାତ୍ରା କରିପାରିବେ। ବାଂଲାଦେଶ ୧୦୨ ଓ ପାକିସ୍ତାନ ୧୦୬ ସ୍ଥାନରେ ରହିଛି।
ଭାରତ ଗତବର୍ଷ ତୁଳନାରେ ଗୋଟିଏ ସ୍ଥାନ ତଳକୁ ଖସିଛି । ଗତବର୍ଷ ଭାରତ ୮୪ ସ୍ଥାନରେ ଥିବା ବେଳେ ଚଳିତବର୍ଷ ୮୫ ସ୍ଥାନରେ ରହିଛି । ଗତବର୍ଷ ଭାରତର ପାସପୋର୍ଟଧାରୀ ୬୦ଦେଶ ଭିସା ଫ୍ରି ଯାତ୍ରା କରିଥିବା ବେଳେ ଏହା ଚଳିତବର୍ଷ ବଢି ୬୨ ଦେଶ ହୋଇଥିବା ସତ୍ୱେ ଗୋଟିଏ ସ୍ଥାନ ତଳକୁ କିପରି ଖସିଲା ତାହା ଚିନ୍ତାର ବିଷୟ।
ଅଧିକ ପଢନ୍ତୁ: ଚାଲାଣ ହେଉଥିଲେ ଦାଦନ ଶ୍ରମିକ; ଅଟକାଇଲେ ଯବାନ