କିଛି ଦିନ ବ୍ୟବଧାନ ପରେ ଗାଜାରେ ଇସ୍ରାଏଲ ସେନା ପୁଣି ଆକ୍ରମଣ କରିଛି। ଗତ ଗୁରୁବାର ଉତ୍ତର ଗାଜାର ନାବୁଲସି ଠାରେ ଥିବା ଏକ ଶରଣାର୍ଥୀ କ୍ୟାମ୍ପରେ ସହାୟତା ପାଇଁ ଅପେକ୍ଷା କରିଥିବା ନିରୀହ ଲୋକଙ୍କ ଉପରକୁ ଅତର୍କିତ ଭାବେ ଗୁଳି ମାଡ଼ ଆକ୍ରମଣ ଫଳରେ ଶତାଧିକ ପାଲେଷ୍ଟାନୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବାର ଗାଜା ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି।
ଗାଜା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଏପରି ଅଭିଯୋଗକୁ ଇସ୍ରାଏଲ ସେନାର ମୁଖପାତ୍ର ଖଣ୍ଡନ କରି ଇସ୍ରାଏଲ ସେନା ପକ୍ଷରୁ ଉକ୍ତ ସ୍ଥାନରେ କୌଣସି ପ୍ରକାରର ଗୁଳି ମାଡ଼ କରାଯାଇ ନାହିଁ ବୋଲି କହିଛନ୍ତି। କିନ୍ତୁ ଗାଜାର ଅଭିଯୋଗ ଅନୁସାରେ, ଏହି କ୍ୟାମ୍ପରେ ଖାଦ୍ୟ ଓ ଅନ୍ୟ ରିଲିଫ ସାମଗ୍ରୀ ବିତରଣ ହେଉଥିବା ବେଳେ ଇସ୍ରାଏଲ ଫୋର୍ସ ଏହି ଅତର୍କିତ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଏବେ ସୁଦ୍ଧା ୧୦୪ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଷଷ୍ଟ ହୋଇଥିବା ବେଳେ ପ୍ରାୟ ୭୦୦ ଆହତ ହୋଇଥିବାର ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି। ଆହତଙ୍କ ମଧ୍ୟରେ ବହୁ ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାର ଯଥେଷ୍ଟ ଆଶଙ୍କା ରହିଥିବା ଗାଜା ପକ୍ଷରୁ ଦାବି କରାଯାଇଛି।
ଅପରପକ୍ଷରେ ଅନ୍ୟ ଏକ ସୂତ୍ରରେ କୁହାଯାଇଛି ଯେ ଇସ୍ରାଏଲ ସେନା ପ୍ରତି ବିପଦ ସୃଷ୍ଟି କରୁଥିବା କିଛି ଲୋକଙ୍କ ଉପରେ ଯବାନମାନେ ଗୁଳି ମାଡ଼ କରିବାରୁ ଅନେକଙ୍କ ମୃତ୍ୟୁ ହୋଇଛନ୍ତି। କିନ୍ତୁ ସେମାନେ କେଉଁ ପ୍ରକାରର ବିପଦ ସୃଷ୍ଟି କରୁଥିଲେ, ସେ ସମ୍ବନ୍ଧରେ କୌଣସି ସୂଚନା ନାହିଁ।
ତେବେ ପାଲେଷ୍ଟାଇନ ରାଷ୍ଟ୍ରପତି ଅଫିସ ପକ୍ଷରୁ ଏହି ନରସଂହାରକୁ ନିନ୍ଦା କରାଯାଇଥିବା ବେଳେ ନାବୁଲସି ଠାରେ ସହାୟତା ପାଇଁ ଅପେକ୍ଷା କରିଥିବା ଲୋକଙ୍କୁ ଇସ୍ରାଏଲ ସେନା ଗୁଳି କରି ହତ୍ୟା କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ରାଷ୍ଟ୍ରପତିଙ୍କ ଅଫିସରୁ ଜାରି ବିବୃତିରେ କୁହାଯାଇଛି।
ସୂଚନାଯୋଗ୍ୟଯେ, ଗତ ଅକ୍ଟୋବରରୁ ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀଙ୍କର ଅଚାନକ ଆକ୍ରମଣ ପରେ ପ୍ରତିବାଦରେ ଇସ୍ରାଏଲ ଗାଜାରେ ବୋମାବର୍ଷଣ ଆରମ୍ଭ କରିଥିଲା। ଏହା ପରଠୁ ଇସ୍ରାଏଲ-ହାମାସ ମଧ୍ୟରେ କ୍ରମାଗତ ଯୁଦ୍ଧ ଲାଗି ରହିଛି। ତେବେ ଏହି ଯୁଦ୍ଧରେ ଗାଜାର ୨୬୦୦୦ ରୁ ଅଧିକ ନିରୀହ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ସହ ବହୁ ବଡ଼ବଡ଼ କୋଠା ଧ୍ୱଂସ ମଧ୍ୟ ଘଟିଛି।
ଅଧିକ ପଢନ୍ତୁ: ଓଡ଼ିଶାରେ ସୁଦୃଢ଼ ହେବ ପାଣିପାଗ ପୂର୍ବାନୁମାନ