ନାଇଜେରିଆ ସୀମା ନିକଟରେ ଥିବା ବେନିନରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଏକ ତୈଳ ଡିପୋରେ ନିଆଁ ଲାଗି ୩୪ ଜଣଙ୍କର ମୃତ୍ୟୁ ହୋଇଯାଇଛି । ସୂଚନା ଅନୁସାରେ, ଶନିବାର ବେନିନରେ ଥିବା ଏକ ତୈଳ ଡିପୋରେ ନିଆଁ ଲାଗିଯାଇଥିଲା । ଯାହା ଫଳରେ ୩୪ଜଣଙ୍କର ମୃତ୍ୟୁ ହେବାସହିତ ୨୦ ଜଣ ଗୁରୁତର ଆହତ ହୋଇଥିଲେ । ଗୁରୁତର ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମୃତ ବ୍ୟକ୍ତିଙ୍କ ମଧ୍ୟରୁ ୨ ଜଣ ଛୋଟ ପିଲା ଥିବା ସୂଚନା ମିଳିଛି ।
ବେନିନରେ ଥିବା ତୈଳ ଡିପୋରେ ନିଆଁ ପ୍ରଥମେ ଲାଗି ବିସ୍ଫୋରଣର ରୂପ ନେଇଥିଲା । ଏହି ବିସ୍ଫୋରଣର ରୂପ ଏତେ ଭୟଙ୍କର ଥିଲା ଯେ, ସ୍ଥାନୀୟ ଲୋକମାନଙ୍କ ଭିତରେ ଏକ ଭୟର ବାତାବରଣ ଖେଳିଯାଇଥିଲା । ନିଆଁ ଲାଗିବା ପରେ ସାରା ଅଞ୍ଚଳର ଆକାଶ ଧୂଆଁମୟ ହୋଇଯାଇଥିଲା । ଏହି ଅଗ୍ନିକାଣ୍ଡରେ ବହୁତ ଲୋକଙ୍କର ବହୁତ କ୍ଷୟକ୍ଷତି ମଧ୍ୟ ହୋଇଛି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ଏହି ତୈଳ ଡିପୋରେ ଚୋରା ଚାଲାଣ କରାଯାଉଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଆହତ ଓ ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।
ଆଗକୁ ପଢ଼ନ୍ତୁ : ଆମେରିକାରେ ଘଟିଛି ଗୁଳିକାଣ୍ଡ : ୩ ମୃତ