ମୁମ୍ବାଇ: ଭାରତୀୟ କ୍ରିକେଟର୍ ସ୍ମୃତି ମାନ୍ଧାନାଙ୍କ ସହିତ ବିବାହ ପ୍ରସ୍ତାବ ଭାଙ୍ଗିବାକୁ ନେଇ ଚର୍ଚ୍ଚାରେ ଥିବା ଗାୟକ ତଥା ଚଳଚ୍ଚିତ୍ର ନିର୍ମାତା ପଲାଶ ମୁଚ୍ଛଲ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି । ଏଥର ତାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆସିଛି । ପଲାଶଙ୍କ ନାମରେ ମୁମ୍ବାଇର ସାଙ୍ଗଲୀର ଏକ ଫିଲ୍ମ ଫାଇନାନ୍ସର୍ ଆର୍ଥିକ ହେରଫେରର ଅଭିଯୋଗ କରିଛନ୍ତି ।
ଫିଲ୍ମ ଫାଇନାନ୍ସର୍ ବୈଭବ ମାନେ ପଲାଶଙ୍କ ନାମରେ ୪୦ ଲକ୍ଷ ଟଙ୍କାର ହେରଫେର୍ ନେଇ ସାଙ୍ଗଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ବୁଧବାର ଏହି ମାମଲା ପୋଲିସ ନିକଟରେ ପହଁଚିଛି । ଯାହା ପରେ ପୋଲିସ ମାମଲାର ଯାଞ୍ଚ ଆରମ୍ଭ କରିଛି ।
ବୈଭବ ମାନେ ପେସାରେ ଫିଲ୍ମ ଫାଇନାନ୍ସର୍ ଅଟନ୍ତି ଏବଂ ସେ ସ୍ମୃତିଙ୍କ ପିଲା ବେଳର ବନ୍ଧୁ ବୋଲି କୁହାଯାଉଛି । ବୈଭବ କହିଛନ୍ତି ଯେ ଯେତେବେଳେ ପଲାଶ ସ୍ମୃତିଙ୍କ ସହିତ ସମ୍ପର୍କରେ ଥିଲେ ସେତେବେଳେ ସେ ସାଙ୍ଗଲୀ ଆସିଥିଲେ । ସ୍ମୃତିଙ୍କ ବାପା ବୈଭବ ଏବଂ ପଲାଶଙ୍କ ମଧ୍ୟରେ ପରିଚୟ କରାଇଥିଲେ । ଏହି ସମୟରେ ପଲାଶ ବୈଭବଙ୍କୁ ଏକ ଫିଲ୍ମ ପାଇଁ ପ୍ରସ୍ତାବ ଦେଇଥିଲେ । ‘ନଜରିୟା’ ନାମକ ଏକ ଫିଲ୍ମରେ ଅର୍ଥ ନିବେଶ କରିବାକୁ ପଲାଶ ପ୍ରସ୍ତାବ ଦେଇଥିଲେ । ଫିଲ୍ମଟି ଖୁବ ଶୀଘ୍ର ଓଟିଟିରେ ରିଲିଜ୍ ହେବ ଏବଂ ତାହାର ଲାଭାଂଶ ସେ ବୈଭବଙ୍କୁ ଦେବେ ବୋଲି ବିଶ୍ୱାସ ଦେଖାଇଥିଲେ ।
କିନ୍ତୁ ଏହି ଫିଲ୍ମ ସମ୍ପୂର୍ଣ୍ଣ ହେଲା ନାହିଁ । ଫିଲ୍ମ ନିର୍ମାଣ ପ୍ରକ୍ରିୟାରେ ଶିଥିଳତାକୁ ଦେଖି ବୈଭବ ନିଜର ଟଙ୍କା ଫେରସ୍ତ କରିବାକୁ କହିଥିଲେ । ପଲାଶ ପ୍ରଥମେ ଟଙ୍କା ଦେବାକୁ ଆଶ୍ୱସନା ଦେଲେ । କିନ୍ତୁ ପରବର୍ତ୍ତୀ ସମୟରେ ଫୋନ୍ ଉଠାଇବା ବନ୍ଦ କରିଦେଇଥିଲେ । ଏମିତିକି ପଲାଶ ବୈଭବଙ୍କ ଫୋନ୍ ନମ୍ବର ବ୍ଲକ୍ କରିଦେଇଥିବା ସେ ଅଭିଯୋଗ କରିଛନ୍ତି । ଯେଉଁଥି ପାଇଁ ବୈଭବ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ବୈଭବ ପଲାଶଙ୍କୁ ଅନଲାଇନ୍ ଏବଂ ନଗଦ ଅର୍ଥ ରାଶି ମାଧ୍ୟମରେ ୪୦ ଲକ୍ଷ ଟଙ୍କା ଦେଇଥିବା କହିଛନ୍ତି । ଯାହାର ସମସ୍ତ ପ୍ରମାଣ ସେ ପୋଲିସ ନିକଟରେ ଦାଖଲ କରିଛନ୍ତି ।