ମୁମ୍ବାଇ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ବଡ଼ ପରଦାକୁ ଆସିଯାଇଛି ‘ବର୍ଡର୍-୨’ । ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧ କାହାଣୀକୁ ନେଇ ଚଳଚ୍ଚିତ୍ରର କାହାଣୀ ରହିଛି ।
ମୁକ୍ତିଲାଭ କରିବା ସମୟରେ ପ୍ରଶଂସକ ଭାବ ବିହ୍ୱଳ ହୋଇପଡ଼ିଛନ୍ତି । ମୁଖ୍ୟ ଭୂମିକାରେ ଥିବା ସନି ଦେୱାଲ ବାପା ଧର୍ମେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ୨୪ ନଭେମ୍ବର ୨୦୨୫ରେ ୮୯ ବର୍ଷ ବୟସରେ ଧର୍ମେନ୍ଦ୍ରଙ୍କ ଦେହାନ୍ତ ହୋଇଛି ।
ତେବେ ଯଦି ଫିଲ୍ମର ବ୍ୟବସାୟ ଦେଖିବା ତାହା ହେଲେ ଆରମ୍ଭରୁ ବହୁତ ଭଲ ବ୍ୟବସାୟ କରିଛି । ପ୍ରଥମ ଦିନରେ ବର୍ଡର୍-୨ ୨୫ ରୁ ୩୨ କୋଟି ଟଙ୍କା ଆୟ କରିବ ବୋଲି ଅନୁମାନ କରାଯାଉଛି । ୨୦୨୬ର ହିଟ୍ ଫିଲ୍ମ ତାଲିକାରେ ଏହା ସ୍ଥାନ ପାଇପାରେ ।
ଏହି ଫିଲ୍ମରେ ସନିଙ୍କ ବ୍ୟତୀତ ଦିଲଜିତ ଦୋସାଞ୍ଜ ଓ ବରୁଣ ଧାୱନ ଥିବାବେଳେ ନବାଗତ ଅଭିନେତା ସୁନୀଲ ସେଟ୍ଟୀଙ୍କ ପୁଅ ଆହାନ ସେଟ୍ଟୀ ଭାରତୀୟ ଜଳ ସେନାର ଅଧିକାରୀ ଚରିତ୍ରରେ ଅଭିନୟ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ସୋନମ୍ ବାଜବା, ମୋନା ସିଂହ, ମେଧା ରାଣା, ପରମବୀର ଚୀମା, ଗୁନୀତ ସନ୍ଧୁ ଓ ଅଙ୍ଗଦ ସିଂହ ପ୍ରମୁଖ ।
୧୯୯୭ରେ ‘ବର୍ଡର୍’ ପ୍ରଥମ ଭାଗ ମୁକ୍ତିଲାଭ କରିଥିଲା । ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧ ଉପରେ ଏହାର କାହାଣୀ ଆଧାରିତ ଥିଲା । ଏହାକୁ ବହୁତ ଭଲ ପାଇବା ମିଳିଥିଲା । ଆଜି ପର୍ଯ୍ୟନ୍ତ ଏହି ଫିଲ୍ମ ଦର୍ଶକଙ୍କ ମନରେ ଘର କରିରହିଛି । ତେବେ ବର୍ଡର୍-୨ ପ୍ରଥମ ଫିଲ୍ମ ‘ବର୍ଡର୍’ ଭଳି ରେକର୍ଡ କରିପାରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଛି ।