ଭୁବନେଶ୍ୱର: ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ସେମତ ବହୁ ବରିଷ୍ଠ ନେତୃବୃନ୍ଦ ଶୋକ ପ୍ରକାଶ କରିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ବୈଜୟନ୍ତ ପଣ୍ଡା, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ଉଚ୍ଚ ଶିକ୍ଷା ମନ୍ତ୍ରୀ କନକ ସୂର୍ଯ୍ୟବଂଶୀ ସୂରଜ, କଂଗ୍ରେସ ପିସିସି ସଭାପତି ଭକ୍ତ ଚରଣ ଦାସ, ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି ।
କେନ୍ଦମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ଓଡ଼ିଶାର ବିଶିଷ୍ଟ ଅଭିନେତା ତଥା ଓଡ଼ିଆ ଚଳଚ୍ଚିତ୍ର ଜଗତର ଚିର ସବୁଜ ନାୟକ ଉତ୍ତମ ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସେ କେବଳ କଳାକାର ନୁହେଁ ବରଂ ମୋର ପରିବାରର ଜଣେ ସଦସ୍ୟ ପରି ଥିଲେ । ଲମ୍ବା ସମୟ ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ପରିପୁଷ୍ଟ କରିବାରେ ତାଙ୍କର ଯୋଗଦାନ ଥିଲା ଅତୁଳନୀୟ । ରାମାୟଣ, ଫୁଲଚନ୍ଦନ, ସୀତା ପରି ଝିଅଟିଏ ଆଦି ସୁପରହିଟ୍ ଚଳଚ୍ଚିତ୍ର ତାଙ୍କର ଅନନ୍ୟ କୃତି । ଓଡ଼ିଆ ଜନମାନସରେ ନିଖୁଣ ଓ ଜୀବନ୍ତ ଅଭିନୟ ତାଙ୍କୁ ଘରେ ଘରେ ଲୋକପ୍ରିୟ କରାଇଥିଲା । ତାଙ୍କ ବିୟୋଗରେ ଓଡ଼ିଶାର କଳା ଜଗତରେ ଏକ ଶୂନ୍ୟସ୍ଥାନ ତିଆରି ହୋଇଛି । ଓଡ଼ିଶା ଜଣେ ଯୋଗଜନ୍ମାଙ୍କୁ ହରାଇଲା । ସେ ଦୀର୍ଘ ଦିନ ପାଇଁ ଓଡ଼ିଆଙ୍କ ମନରେ ରାଜ କରିବେ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି”
କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କହିଛନ୍ତି, “ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ଯୁଗର ଅନ୍ତ ! ଓଡ଼ିଶାର ଘରେ ଘରେ ପରିଚିତ, ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ। ଓଡ଼ିଆ ଚଳଚ୍ଚିତ୍ର ଜଗତ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବେ। ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଉଛି।”
ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, “ଓଡ଼ିଆ ସିନେ ଜଗତର ଅଦ୍ଵିତୀୟ ନାୟକ ଶ୍ରୀ ଉତ୍ତମ ମହାନ୍ତିଙ୍କ ଦେହାନ୍ତ ଖବର ସମଗ୍ର ଓଡ଼ିଶା ପାଇଁ ଶୋକ ଆଣିଦେଇଛି। ତାଙ୍କ ନିଖୁଣ ଅଭିନୟଦ୍ୱାରା ଦଶନ୍ଧି ଦଶନ୍ଧି ଧରି ସେ ଓଡ଼ିଆ ସିନେପ୍ରେମୀଙ୍କ ହୃଦୟକୁ ଛୁଇଁଥିଲେ। ଓଡ଼ିଶା ଓ ଓଡ଼ିଆ କଳାକ୍ଷେତ୍ର ପାଇଁ ତାଙ୍କ ଅବଦାନକୁ ଏ ମାଟି ସର୍ବଦା ମନେ ପକାଉଥିବ। ଏହି ଦୁଃଖଦ ସମୟରେ ତାଙ୍କ ପବିବାରଜନଙ୍କୁ ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛି ।”
ସେହିପରି ପିସିସି ସଭାପତି କହିଛନ୍ତି “ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପର୍ ଷ୍ଟାର ଉତ୍ତମ ମହାନ୍ତିଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ। ଏହି ଦୁଃଖଦ ସମୟକୁ ସହ୍ୟ କରିବା ପାଇଁ ତାଙ୍କ ପରିବାର ଓ ପ୍ରଶଂସକମାନଙ୍କୁ ଈଶ୍ୱର ଧୈର୍ଯ୍ୟ ପ୍ରଦାନ କରନ୍ତୁ । ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରୁଛି” ।
ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, “ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବାଧିକ ଲୋକପ୍ରିୟ କଳାକାର ଉତ୍ତମ ମହାନ୍ତିଙ୍କ ପରଲୋକ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ତାଙ୍କର ଜୀବନ୍ତ ଅଭିନୟ ମାଧ୍ୟମରେ ଓଡ଼ିଶାବାସୀଙ୍କ ହୃଦୟରେ ସେ ଯେଉଁ ସ୍ଥାନ ଅଧିକୃତ କରିଛନ୍ତି ତାହା ଚିର କାଳ ପାଇଁ ଅମର । ଓଡ଼ିଶାରେ ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନର ଏକ ଖୋରାକ୍ ଯୋଗାଇଥିଲା ତାଙ୍କ ଅଭିନୟ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଦିବଙ୍ଗତ ଆତ୍ମାଙ୍କ ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ହୃଦୟରୁ ସମବେଦନା ଜଣାଉଛି”।
ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, “ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ତଥା କିମ୍ବଦନ୍ତୀ ଅଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। କଳା ଜଗତରେ ଏହା ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଅନେକ ଚଳଚ୍ଚିତ୍ରରେ ସେ ଛାଡ଼ି ଯାଇଥିବା ଛାପ ଲୋକଙ୍କ ହୃଦୟରେ ତାଙ୍କୁ ଚିର ଅମର କରି ରଖିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି”।