ନୂଆଦିଲ୍ଲୀ: ଦୁନିଆରେ ଲଢେଇ ଏକ ନୂତନ ମୋର୍ଚ୍ଚା ଖୋଲି ଦେଇଛି । ଆମେରିକୀୟ ଖବର କାଗଜ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଇସ୍ରାଏଲ କେଉଁ ସମୟରେ ବି ଇରାନ ଉପରେ ବଡ ହମଲା କରିପାରେ । ସାଧାରଣତଃ ଆମେରିକା ସାହାଯ୍ୟରେ ସୈନ୍ୟ ଅଭିଯାନ ଚଲାଉଥିବା ଇସ୍ରାଏଲ ଏଥର ଆମେରିକା ବିନା ହମଲା କରିବାକୁ ପ୍ରସ୍ତୁତି ଚଳାଇଛି । ଯଦି ଇସ୍ରାଏଲ ପକ୍ଷରୁ ହମଲା ହୁଏ ତେବେ ମଧ୍ୟପ୍ରାଚ୍ୟରେ ପୁଣି ଥରେ ଉତ୍ତେଜନା ବଢିପାରେ । ତେଣୁ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଏହି ଉଦ୍ୟମ ଜାରି ରହିଛି ଯେ, ଇରାନ ସହ ଆଣବିକ ଚୁକ୍ତି ହୋଇଯାଉ । ଯଦି ଇସ୍ରାଏଲ ଇରାନ ଉପରେ ହମଲା କରେ ତେବେ ସ୍ଥିତି ବହୁତ ବିଗିଡିବାର ଆଶଙ୍କା ରହିଛି ।
ଏହାକୁ ନେଇ ଚିନ୍ତା ବଢି ଯାଇଛି ଯେ, ଆମେରିକା ଇରାନ, ବାହାରିନ ଓ କୁଏତରୁ ନିଜର କୂଟନୈତିଜ୍ଞଙ୍କୁ ପ୍ରତ୍ୟାହାର କରି ନେଇଛି । ବିଶେଷଜ୍ଞଙ୍କ କହିବା କଥା ଇସ୍ରାଏଲ ଆକ୍ରମଣର ଭୟରେ ଆମେରିକା ନିଜର ରାଷ୍ଟ୍ରଦୂତଙ୍କୁ ଉକ୍ତ ତିନି ଦେଶରୁ ଡକାଇ ନେଇଛି । ଯଦି ଇସ୍ରାଏଲ ଆକ୍ରମଣ କରେ ତେବେ ଇରାନ ବି ପଛକୁ ହଟିବ ନାହିଁ ଏବଂ କଡା ଜବାବ ଦେବାକୁ ଉଦ୍ୟମ କରିବ । ତେବେ ଏ ପର୍ଯ୍ୟନ୍ତ ଜଣା ପଡିନାହିଁ ଯେ, ଇସ୍ରାଏଲର ଯୋଜନା କଣ । କିନ୍ତୁ ଆମେରିକାର ବିଶ୍ୱସ୍ତ ସୂତ୍ର ଅନୁଯାୟୀ, ବେଞ୍ଜାମିନ ନେତନ୍ୟାହୁ ପଛକୁ ହଟିବାକୁ ପ୍ରସ୍ତୁତ ନୁହନ୍ତି ।
ଗତ ଦିନରେ ଡୋନାଲ୍ଡ ଟ୍ରମ୍ପ ନେତନ୍ୟାହୁଙ୍କ ସହ ଫୋନରେ ଲମ୍ବା ବାର୍ତ୍ତାଲପ କରିଥିଲେ । ଏହି ଆଲୋଚନାରେ ଟ୍ରମ୍ପ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଯେ, ଇରାନ ଉପରେ କଦାପି ଆକ୍ରମଣ କର ନାହିଁ । କାରଣ ଆମେରିକା ଇରାନ ସହ ଆଣବିକ ଚୁକ୍ତିନାମା କରିବାକୁ ଚାହୁଁଛି । ଇସ୍ରାଏଲର କହିବା କଥା ଇରାନକୁ କୌଣସି ବି ସ୍ଥିତିରେ ୟୁରାନିୟମର ଭଣ୍ଡାର ବଢାଇବାକୁ ଦିଆଯିବ ନାହିଁ । କାରଣ ଏଥିରୁ ଇରାନ ପରମାଣୁ ହତିଆର ପ୍ରସ୍ତୁତ କରୁଛି । ତେବେ ଆମେରିକା ନିଜର ରାଷ୍ଟ୍ରୁଦୂତଙ୍କୁ ଫେରାଇ ନେବା ଯୁଦ୍ଧ ଆଶଙ୍କାକୁ ଆହୁରି ବଢାଇ ଦେଇଛି । ଏହା ବ୍ୟତୀତ ଆମେରିକା ଟ୍ରାଭେଲ ଆଡଭାଇଜରି ମଧ୍ୟ ଜାରି କରିଛି ।