ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ୫ମ ପର୍ଯ୍ୟାୟରେ ଆଜି ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା କ୍ଷେତ୍ରରେ ମତଦାନ ଜାରି ରହିଛି। ଏଥିପାଇଁ ୮ ଲକ୍ଷ ମତଦାତା ୯୪,୭୩୨ କେନ୍ଦ୍ରରେ ଭୋଟ ଦେଉଛନ୍ତି। ଓଡ଼ିଶାର ୫ଟି ଲୋକସଭା ଆସନ ଏବଂ ଏହାର ଅଧିନ ୩୫ଟି ବିଧାନସଭା କ୍ଷେତ୍ରରେ ମଧ୍ୟ ମତଦାନ ହେଉଛି। ପଞ୍ଚମ ପର୍ଯ୍ୟାୟରେ ୬୯୫ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି। ମହରାଷ୍ଟ୍ରର ୧୩, ଉତ୍ତରପ୍ରଦେଶର ୧୪, ପଶ୍ଚିମବଙ୍ଗର ୭, ବିହାରର ୫, ଝାଡ଼ଖଣ୍ଡର ୩, ଓଡ଼ିଶାର ୫, ଜମ୍ମୁ କଶ୍ମୀରର ୧ ଓ ଲଦ୍ଦାଖର ଗୋଟିଏ ଆସନରେ ମତଦାନ ଜାରି ରହିଛି।
ମତଦାନ ପ୍ରକ୍ରିୟାରେ ସାଧାରଣ ଲୋକଙ୍କ ସହିତ ବଲିଉଡ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ସାମିଲ ହୋଇଛନ୍ତି। ଆଜି ସକାଳୁ ଅଭିନେତା ଅକ୍ଷୟ କୁମାର, ରାଜକୁମାର ରାଓ ଓ ଅଭିନେତ୍ରୀ ଜାହ୍ନବୀ କପୁର ମତଦାନ କରିଛନ୍ତି। ସେହିପରି ବରିଷ୍ଠ ଅଭିନେତ୍ରୀ ଶୋଭା ଖୋଟେ ମଧ୍ୟ ମତଦାନ କରିଛନ୍ତି।
ମତଦାନ ପରେ ଅଭିନେତା ଅକ୍ଷୟ କୁମାର କହିଛନ୍ତି, ମୋର ଭାରତ ବିକଶିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ମତଦାନ କରିଛି। ତେଣୁ ପୂରା ହିନ୍ଦୁସ୍ଥାନ ଏହାକୁ ଦୃଷ୍ଟିରେ ରଖି ମତଦାନ କରିବା ଦରକାର। ସେହିପରି ଅଭିନେତା ରାଜକୁମାର ରାଓ ମୁମ୍ବାଇରେ ମତଦାନ ପରେ କହିଛନ୍ତି, ଏହା ହେଉଛି ଦେଶ ପ୍ରତି ଆମର ବଡ଼ ଦାୟିତ୍ବ। ତେଣୁ ଆମ ସମସ୍ତଙ୍କୁ ଭୋଟ ଦେବା ଉଚିତ। ସମସ୍ତେ ମତଦାନ କରନ୍ତୁ। ଅଭିନେତା ଫରହାନ ଅଖତର କହିଛନ୍ତି ମୋର ଭୋଟ ଭଲ ପ୍ରଶାସନ ପାଇଁ ଦେଇଛି, ଯେଉଁ ସରକାର ଲୋକଙ୍କ ଭଲ ପାଇଁ କାମ କରିବ।