ଝାରସୁଗୁଡ଼ା: ଭାରତର ଜି୨୦ (G20) ଶେର୍ପା ଅମିତାଭ କାନ୍ତ ଝାରସୁଗୁଡ଼ା ଗସ୍ତ କରିଛନ୍ତି । ଝାରସୁଗୁଡାକୁ ଦେଶର ଏକ ନମ୍ବର ଜିଲ୍ଲାରେ ପରିଣତ କରିବାକୁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଛି । ଝାରସୁଗୁଡ଼ାକୁ ଏକ ଅଗ୍ରଣୀ ଜିଲ୍ଲାରେ ପରିଣତ କରିବା ପାଇଁ ଜନ ପ୍ରତିନିଧି, ଜିଲ୍ଲା ପ୍ରଶାସନ ଓ ଶିଳ୍ପାନୁଷ୍ଠାନମାନଙ୍କର ମିଳିତ ସହଯୋଗର ଆବଶ୍ୟକତା ଉପରେ ଅମିତଭ କାନ୍ତ ଗୁରୁତ୍ୱାରୋପ କରିଛନ୍ତି ।
ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଭାରତର G20 ଶେର୍ପା ଅମିତାଭ କାନ୍ତଙ୍କ ଝାରସୁଗୁଡ଼ା ଗସ୍ତ କରିଛନ୍ତି । ଭାରତୀୟ ପ୍ରଶାସନିକ ସେବାର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ଶ୍ରୀ ଅମିତାଭ କାନ୍ତ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ଅମିତାଭ କାନ୍ତ ଝାରସୁଗୁଡ଼ା ଗସ୍ତ କରିଛନ୍ତି । ସ୍ଥାନୀୟ ବିଧାୟକ ଟଙ୍କଧର ତ୍ରିପାଠୀ, ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ, ଏସ୍ପି ସ୍ମିତ୍ ପି. ପରମାରଙ୍କ ସମେତ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଶିଳ୍ପ ଉନ୍ନତ ଜିଲ୍ଲା ଝାରସୁଗୁଡ଼ା ଜିଲ୍ଲାକୁ ଦେଶର ଏକ ଅଗ୍ରଣୀ ଜିଲ୍ଲାରେ ପରିଣତ କରିବା ପାଇଁ ଶିକ୍ଷା ,ସ୍ୱାସ୍ଥ୍ୟ ତଥା ଗମନାଗମନ କ୍ଷେତ୍ରରେ ଉନ୍ନତି ଆଣିବା ସହ ଜିଲ୍ଲାରେ ବ୍ୟାପକ ଭାବରେ ବୃକ୍ଷ ରୋପଣ ପୂର୍ବକ ଗ୍ରୀନ ଝାରସୁଗୁଡ଼ାରେ ପରିଣତ କରିବାକୁ ପରାମର୍ଶ ଦେଇଛନ୍ତି । ଶିଳ୍ପାନୁଷ୍ଠାନ ସମୂହର ବର୍ଜ୍ୟ ପାଉଁଶକୁ ଉପଯୁକ୍ତ ଭାବରେ ପରିଚାଳନା କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏଥି ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ନା କରୁଥିବା ବିଭିନ୍ନ ଆହ୍ୱାନ ଯଥା ସ୍କିଲ ଡେଭେଲପମେଣ୍ଟ, ନିଯୁକ୍ତି,ଜଳସେଚନ ବ୍ୟବସ୍ଥା, ପ୍ରଦୂଷଣ ଓ ଶିଳ୍ପାନୁଷ୍ଠାନ ନିର୍ଗତ ବର୍ଜ୍ୟ ପାଉଁଶର ସଠିକ ପରିଚାଳନା ପାଇଁ ସେ ପରାମର୍ଶ ଦେଇଛନ୍ତି । କୃଷି ସକାଶେ ଅମୃତ ସରୋବର ଯୋଜନା କିପରି ସଠିକ ଢଙ୍ଗରେ କାର୍ଯ୍ୟକାରୀ କରାଯିବ ସେଥିପାଇଁ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ ମାତୃ ମୃତ୍ୟୁହାର ଏବଂ ଶିଶୁ ମୃତ୍ୟୁହାର କମାଇବା ତଥା ଶିକ୍ଷା କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଉଥିବା ଉଡିଆଁ ତାରା କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି । ସୁସ୍ଥ ଶିଶୁ ପାଇଁ ସୁସ୍ଥ ମାଆ ଅପରିହାର୍ଯ୍ୟତା ଦୃଷ୍ଟିରୁ ଏ ଦିଗରେ ସମୟୋଚିତ ପଦକ୍ଷେପ ନେବାକୁ ଶ୍ରୀ କାନ୍ତ ପରାମର୍ଶ ଦେଇଛନ୍ତି ।
ବିଧାୟକ ଟଙ୍କଧର ତ୍ରିପାଠୀ ବିଭିନ୍ନ କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଏହା ସହିତ ସେର୍ପାଙ୍କ ଗସ୍ତ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସ୍ଥାନୀୟ ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟକୁ ଅପଗ୍ରେଡ କରି କିପରି ଉଚ୍ଚତର ବୈଷୟିକ ଶିକ୍ଷା(ବି-ଟେକ) ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବ ସେ ଦିଗରେ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ସାମଗ୍ରିକ ଭାବରେ ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ବୃକ୍ଷରୋପଣ, ସ୍ଥାନୀୟ ନିଯୁକ୍ତି , ପ୍ରଦୂଷଣ , ବର୍ଜ୍ୟ ପାଉଁଶ ପରିଚାଳନା ଆଦି ସମ୍ପର୍କରେ ଅବଗତ କରାଇଥିଲେ।