ପୁରୀ: ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଶ୍ରୀ ଜଗନ୍ନାଥ ସେନା ତରଫରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ଜଗନ୍ନାଥ ସେନାର ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟନାୟକ ସିଂହଦ୍ୱାର ଥାନାରେ ହାଜର ହୋଇ ଲିଖିତ ଏତଲା ଦେଇଛନ୍ତି ।
ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ସମସ୍ତ ପରମ୍ପରାକୁ ଭାଙ୍ଗି "ଦୀଘା"କୁ ଶ୍ରୀ ଜଗନ୍ନାଥ ଧାମ,ଦୀଘା କୁହାଯିବା ଓ ପୁରୀ ଶ୍ରୀମନ୍ଦିର ଦାରୁ ଘରୁ ଦାରୁ କାଠ ଚୋରି କରି ନେଇ ଦୀଘାରେ ସେହି କାଠରେ ମୂର୍ତ୍ତି ତିଆରି କରି ସ୍ଥାପନ କରା ଯାଇଥିବା ନେଇ ରାମକୃଷ୍ଣ ଦାସ ମହାପାତ୍ର ନିଜ ମୁହଁରେ ସ୍ୱୀକାର କରିଛନ୍ତି। ଏହାକୁ ନେଇ ତୁରନ୍ତ ତଦନ୍ତ ଏବଂ ମୁଖ୍ୟ ପ୍ରଶାସକଙ୍କ କାର୍ଯ୍ୟ ଉପରେ ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହେଇଛି । ଶ୍ରୀ ଜଗନ୍ନାଥ ମନ୍ଦିର ମେଘନାଦ ପାଚେରୀ ଭିତରେ ଥିବା ସମସ୍ତ ଜିନିଷର ତତ୍ୱବଧାରକ ହେଲେ ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ଭିତରୁ ଦାରୁଘରୁ ଦାରୁକାଠ କିପରି ନିଆଗଲା ? ଚୋରି କରି ନିଆଗଲା ନା ଶ୍ରୀମନ୍ଦିର ଅଧିକାରୀ ଏହାକୁ ନେବାରେ ସାହାଯ୍ୟ କରିଛନ୍ତି ବୋଲି ପ୍ରଶ୍ନ ଉଠୁଛି ?
ଯେହେତୁ ଶ୍ରୀମନ୍ଦିର ଭୀତର ଦାରୁଘରୁ କାଠ ଚୋରି ହୋଇ ପଶ୍ଚିମବଙ୍ଗ ଯାଇଛି ତେଣୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ ଓ ତାଙ୍କୁ ତଦନ୍ତର ପରିସର ଭୁକ୍ତ କରାଯିବା ସହ ତାଙ୍କ ବିରୁଦ୍ଧରେ ଓ ଏଥିସହ ସଂଶ୍ଲିଷ୍ଟ ଅନ୍ୟମାନଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତାର ଧାରାର ବିଭିନ୍ନ ଦଫା ଅନୁଯାୟୀ ମାମଲା ଦାଏର କରାଯାଇ ମୁଦାଲା ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏତଲାରେ ଅନୁରୋଧ କରାଯାଇଛି ।