ବାଲେଶ୍ଵର: ସ୍ପଷ୍ଟ ଦିବାଲୋକରେ ଜଣେ ଯୁବତୀଙ୍କୁ ବୀଭତ୍ସଭାବେ ଗଳାକାଟି ହତ୍ୟା କରାଯାଇଛି । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ । ମୃତ ଯୁବତୀ ଜଣକ ସୋର ପୌରାଞ୍ଚଳ ଲିଙ୍ଗପଡ଼ା ଗ୍ରାମର ଜ୍ୟୋତିର୍ମୟୀ ରଣା (୨୫) । ପ୍ରେମ ଜନିତ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।
ଜ୍ୟୋତିର୍ମୟୀ ରଣା ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ । ଗତ ଦୁଇ ମାସ ହେବ ସେ ଘରେ ରହୁଥିଲେ । ତାଙ୍କ ପରିବାର ଲୋକ ସୋମବାର ସକାଳେ ଘରେ ନ ଥିଲେ । ସେ ଏକୁଟିଆ ଘରେ ଥିଲେ । ପରିବାର ଲୋକ କିଛି ସମୟ ପରେ ଘରକୁ ଫେରିବା ପରେ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ପାଇଥିଲେ । ଏହା ତାଙ୍କୁ ସୋର ଡାକ୍ତରଖାନାକୁ ନେଇଯାଇଥିଲେ । ମାତ୍ର ସେତେବେଳକୁ ସବୁ କିଛି ଶେଷ ହୋଇଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ଏ ନେଇ ପରିବାର ଲୋକେ ସୋର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଲିଙ୍ଗପଡ଼ା ଗ୍ରାମରେ ପହଁଚି ଯାଞ୍ଚ ଆରମ୍ଭ କରିଛି । ଗତ ଦୁଇ ଦିନ ତଳେ ଜଣେ ଯୁବକ ତାଙ୍କୁ ହଇରାଣ କରୁଥିବା ନେଇ ସୋର ଥାନାରେ ଅଭିଯୋଗ କରିଥିଲେ । ତେବେ ଜ୍ୟୋତୀର୍ମୟୀଙ୍କୁ କିଏ ଓ କାହିଁକି ଏମିତି ହତ୍ୟା କରିଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନ ଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।