ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ରେଙ୍ଗାଳୀ ବାମ ପାର୍ଶ୍ୱ କେନାଲ ନିକଟରୁ ଗୋଟିଏ କାଠ ବୋଝେଇ ଟ୍ରକକୁ ଜବତ କରିଛି ବନ ବିଭାଗ। ଏଥିସହିତ ଟ୍ରକ ଡ୍ରାଇଭର ଶାନ୍ତନୁ କୁମାର ମହାନ୍ତିକୁ ଗିରଫ କରାଯାଇଛି। ଜବତ କାଠର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ। ଟ୍ରକରେ ଶିରିସା, ଚାକୁଣ୍ଡା ଓ ମାହାଳ କାଠ ଭର୍ତି କରାଯାଇଥିଲା ।
ସୂଚାନୁଯାୟୀ ଟ୍ରକଟି ପରଜଙ୍ଗ ରୋଡ଼ ପଞ୍ଚାୟତ ଅନ୍ତର୍ଗତ ଗଇଲୋ ଗାଁରୁ କାଠ ନେଇ କେଉଁଝର ଆନନ୍ଦପୁରକୁ ଯାଉଥିଲା। ବିଶେଷ ସୂତ୍ରରୁ ଖବର ପାଇ ମୁକ୍ତାପଶି ଫରେଷ୍ଟର ପ୍ରଦୀପ୍ତ କୁମାର ଭଞ୍ଜ ଟ୍ରକଟିକୁ ଧରିବାରେ ସଫଳ ହୋଇଥିଲେ। ତେବେ ସବୁଠାରୁ ରୋଚକ କଥା ହେଲା ମହାବିରୋଡ଼ ରେଞ୍ଜ ଅନ୍ତର୍ଗତ ଡିହଡୋଳ ଫରେଷ୍ଟର ବିଶ୍ୱନାଥ ସୋରେନ ଗାଡିଟିକୁ ଅନୁମତି ପ୍ରଦାନ କରିଥିଲେ । ରୋଡ଼ ରାଜସ୍ବ ନିରୀକ୍ଷକ ଏବଂ ଡିହଡୋଳ ଫରେଷ୍ଟରଙ୍କ ଜଏଣ୍ଟ ଭେରିଫିକେସନରେ କାଠ କାଟିବା ସହ ଗାଡିଟି ଲୋଡ଼ ହୋଇଥିଲା। ଅର୍ଥାତ ଗାଡିଟି ୧୮ ତାରିଖ ଦିନ କାଠ ଲୋଡ଼ କରି ନେବା ପାଇଁ ଅନୁମତି ପାଇଥିଲା ଯାହା ୧୯ ତାରିଖ ଦିନ କାଠ ଲୋଡ଼ କରି ନେବା ବେଳେ ଧରା ପଡିଥିଲା । ଏହି ଘଟଣାରେ ଡିହଡୋଳ ଫରେଷ୍ଟରଙ୍କୁ ହାତ କରି କାଠ ମାଫିଆ ମାନେ କାଠ ଚୋରା ଚାଲାଣ କରିବାରେ ସକ୍ରିୟ ରହିଛନ୍ତି ବୋଲି ଜଣାପଡିଛି । ସେପଟେ ଡିହଡୋଳ ଫରେଷ୍ଟରଙ୍କ ଅନୁମତି ପତ୍ରକୁ ନେଇ ସନ୍ଦେହ ଉପୁଜିଥିଲା ବେଳେ ଆକ୍ସନ ଦେଖାଇଛନ୍ତି ମୁକ୍ତାପଶି ଫରେଷ୍ଟର। ଖୁବଶୀଘ୍ର କାଠ ମାଫିଆକୁ ଧରା ଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।