ପୁରୀ: ପୁଣି ପୁରୀରେ ଫୁଟିଲା ବୋମା । ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ସେବାୟତ ପ୍ରିମିୟମ ଲିଗ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି । ଶ୍ରୀଜଗନ୍ନାଥ ଷ୍ଟାଡିୟମ୍ ପରିସରରେ ବୋମାମାଡ଼ ହୋଇଛି । ଏହି ଷ୍ଟାଡିୟମ୍ରେ ଦିବାରାତ୍ର ସେବାୟତ ପ୍ରିମିୟର୍ ଲିଗ୍ କ୍ରିକେଟ୍ ମ୍ୟାଚ୍ ଚାଲିଥିବା ବେଳେ ହିଁ ବୋମ ମାଡ଼ କରି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ ।
ସୋମବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଛି । ପେଣ୍ଠକଟା ଫାଣ୍ଡି ଠାରୁ ମାତ୍ର ୨୦ ମିଟର ଦୂରରେ ଦୁର୍ବୃତ୍ତ ବୋମାମାଡ଼ କରି ଖସିଯିବାକୁ ସକ୍ଷମ ହୋଇଛନ୍ତି।ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ହଠାତ୍ ୨ ଜଣ ଯୁବକ ବାଇକ୍ରେ ଆସି ଲଗାତର ଭାବେ ୩ଟି ବୋମା ଷ୍ଟାଡିୟମ୍ ଭିତରକୁ ଫିଙ୍ଗିଥିଲେ। କିନ୍ତୁ ବୋମାଗୁଡ଼ିକ ଘାସରେ ପଡ଼ିବାରୁ ଫୁଟି ନଥିଲା। ବୋମା କାହିଁକି ଫୁଟିଲାନି ବୋଲି ଯୁବକ ଜଣକ ବିରକ୍ତ ହୋଇ ଆଉ ଗୋଟିଏ ରାସ୍ତାରେ ମାଡ଼ କରିଥିଲା। ଏହା ପ୍ରଚଣ୍ଡ ଶବ୍ଦ କରି ବିସ୍ଫୋରଣ ହୋଇଥିଲା। ଫଳରେ ଦୁର୍ବୃତ୍ତ ବୋମାମାଡ଼ କରିଥିବା ଜଣାପଡ଼ିଥିଲା। ତତ୍କ୍ଷଣାତ୍ ଅଭିଯୁକ୍ତ ଦୁହେଁ ସେଠାରୁ ଖସି ତାଳବଣିଆ ଆଡ଼କୁ ପଳାଇଥିଲେ। କିଛି ସମୟ ପରେ ଏସ୍ପି ବିନୀତ ଅଗ୍ରୱାଲ୍ ଏବଂ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିଥିଲେ। ବୋମା ନିଷ୍କ୍ରିୟକାରୀ ଦଳଙ୍କ ସହାୟତାରେ ୩ଟି ଅଫୁଟା ବୋମା ଜବତ କରିଛି ପୁଲିସ। ଏପରିକି ଫୁଟିଥିବା ବୋମାର ଅଂଶବିଶେଷ ମଧ୍ୟ ଜବତ କରାଯାଇଛି।ବର୍ତ୍ତମାନ ସୁଦ୍ଧା କିଏ ଓ କେଉଁ କାରଣ ପାଇଁ ବୋବାମାଡ଼ କରିଛି ତାହା ଜଣାପଡ଼ିନାହିଁ ।