ଭୁବନେଶ୍ୱର: କିଟ୍ରେ ଛାତ୍ରୀ ଜଣକ ଆତ୍ମହତ୍ୟା ଘଟଣାକୁ ନେଇ ଉଠୁଛିପଡ଼ୁଛି ସାରା ରାଜ୍ୟ । ଏହି ଘଟଣା ଏବେ କେବଳ ରାଜ୍ୟରେ ସୀମିତ ହୋଇନାହିଁ, ଏହା ଦେଶ ଏପରିକି ଆନ୍ତଜାତୀୟ ସ୍ତରର ଖବର ପାଲଟିଛି । ଘଟଣାକୁ ନେଇ ରାଜଧାନୀ ଭୁବନେଶ୍ୱରଠୁ ଆରମ୍ଭ କରି ଏବେ ଦିଲ୍ଲୀ, ନେପାଳ ପର୍ଯ୍ୟନ୍ତ ପ୍ରତିବାଦର ସ୍ୱର ଉଠିଛି । ସେପଟେ ଏହି ଘଟଣାକୁ ନେଇ ଆକ୍ସନ ମୋଡରେ ରାଜ୍ୟ ସରକାର । କାର୍ଯ୍ୟାନୁଷ୍ଠାନ ବାବଦରେ ବିସ୍ତୁତ ରିପୋର୍ଟ ଦେଇଛି କମିଶନରେଟ୍ ପୁଲିସ ।
- ଛାତ୍ରଛାତ୍ରୀଙ୍କୁ ମାଡ ମାରିଥିବା କିଟ୍ ର ସୁରକ୍ଷାକର୍ମୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ
- ନେପାଳୀ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ୨୪ ଘଣ୍ଟିଆ ଟେଲିଫୋନ ନମ୍ବର ଜାରି
- କିଟ୍ କର୍ତ୍ତୃପକ୍ଷ ବି ପୁଣି ଏକ ବିବୃତ୍ତି ଜାରି କରିଛନ୍ତି
- କିଟ୍ ର କିଛି ବରିଷ୍ଠ ଅଧିକାରୀଙ୍କୁ ସସପେଣ୍ଡ କରାଯାଇଥିବାବେଳେ ଦୁଇଜଣ ସୁରକ୍ଷାକର୍ମୀଙ୍କୁ ଚାକିରିରୁ ନିଲମ୍ବନ
- ଏଭଳି ଘଟଣା ପାଇଁ କିଟ୍ ଦଃଖ ପ୍ରକାଶ କରିଛି
କଣ ରହିଥିଲା ଘଟଣାକ୍ରମ ନଜର ପକାନ୍ତୁ:
ତେବେ ନେପାଳୀ ଛାତ୍ରୀ ଜଣକ କ୍ୟାମ୍ପସରେ ଆତ୍ମହତ୍ୟା କରିବା ଘଟଣା ପରେ ଅଭିଯୁକ୍ତଙ୍କ ନାଁରେ ଏତଲା ଦିଆଯିବା ପରେ ତୁରନ୍ତ ଇନଫୋସିଟି ଥାନା ପୋଲିସ ମାମଲା ରୁଜୁ କରିଥିଲା । ଅଭିଯୁକ୍ତ ଆଦଭିକ୍ ରାଜ୍ୟ ବାହାରକୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେଠାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା ।
ସେପଟେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ନେପାଳୀ ଛାତ୍ରଛାତ୍ରୀ ଓ କିଟ୍ କର୍ତୃପକ୍ଷଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାପରେ ତୁରନ୍ତ ସେମାନଙ୍କୁ ହଷ୍ଟେଲରୁ ବଳପୂର୍ବକ ତଡ଼ିଦେଇଥିଲେ କିଟ୍ କର୍ତୃପକ୍ଷ । ଏପରିକି ନେପାଳୀ ଛାତ୍ରଛାତ୍ରୀଙ୍କ ପାଇଁ ଅନିର୍ଦ୍ଦିଷ୍ଟ କାଳ ଯାଏ ‘ସାଇନ୍ ଏ ଡାଏ’ ଘୋଷଣା କରାଯାଇଥିଲା । ଏପରିକି ଶତାଧିକ ନେପାଳୀ ଛାତ୍ରଛାତ୍ରୀଙ୍କୁ ବଳପୂର୍ବକ ବସ ଯୋଗେ କଟକ ରେଳଷ୍ଟେସନରେ ଛାଡ଼ି ଦିଆଯାଇଥିଲା । ଏହାକୁ ନେଇ ନେପାଳ ଛାତ୍ରଛାତ୍ରୀଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ଘରକୁ ଯିବାପାଇଁ କଲେଜ କର୍ତୃପକ୍ଷଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାନଯାଇ ତୁରନ୍ତ ଚାଲିଯିବାକୁ ନିର୍ଦ୍ଦେଶ ଦେବା ପରେ ଅକଳରେ ପଡିଥିଲେ ଛାତ୍ରଛାତ୍ରୀ । ଏହାପରେ କିଟ୍ ପକ୍ଷରୁ ନୋଟିସ୍ ଜାରି କରାଯାଇ ସେମାନଙ୍କୁ ଫେରିଆସିବା ପାଇଁ ଅପିଲ କରାଯାଇଥିଲା ।
ଅଧିକ ପଢନ୍ତୁ: କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା: ଦୁଃଖ ପ୍ରକାଶ ସହ ସଫେଇ ଦେଲା କିଟ୍, ୨ ସିକ୍ୟୁରିଟି ଗାର୍ଡଙ୍କୁ ବହିଷ୍କାର କରିବା ସହ ହଷ୍ଟେଲ ଦାୟିତ୍ୱରେ ଥିବା ୨ ଅଧିକାରୀଙ୍କୁ କରାଗଲା ନିଲମ୍ବନ
କ୍ୟାମ୍ପସକୁ ଫେରିବା ପରେ ଛାତ୍ରଛାତ୍ରଙ୍କ ଠାରୁ ଅଣ୍ଡରଟେକିଂ ରଖିବା ସହ କିଟ୍ କର୍ତୃପକ୍ଷଙ୍କ ତରଫରୁ ଏକ ୨୪ ଘଣ୍ଟିଆ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । ଏହି ଘଟଣା ପାଇଁ କିଟ୍ କ୍ଷମା ପ୍ରାର୍ଥନା କରିଛି । ଏପରିକି କଲେଜର ୨ ମହିଳା କର୍ମଚାରୀ ଛାତ୍ରଛାତ୍ରୀଙ୍କୁ ଦୁଃବ୍ୟବହାର କରିବା ଘଟଣାର ଭିଡ଼ିଓ ଭାଇରାଲ ହେବା ପରେ ଉଭୟେ ମଙ୍ଗବଳାର ଭିଡ଼ିଓ ଜାରି ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ସେପଟେ ଏହି ଘଟଣା ପାଇଁ କିଟ୍ ପକ୍ଷରୁ ୨ ଜଣ ସିକ୍ୟୁରିଟି ଗାର୍ଡ ଓ ହଷ୍ଟେଲ ଦାୟିତ୍ୱରେ ଥିବା ୨ ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିଲା । ଏଥିସହ କିଟ୍ ର ୨ ସୁରକ୍ଷାକର୍ମୀ ଏବଂ ୩ ନିର୍ଦ୍ଦେଶକଙ୍କୁ ଗିରଫ କରାଯାଇଥିଲା, ହେଲେ ଗିରଫର କିଛି ଘଣ୍ଟା ପରେ ସେମାନଙ୍କୁ ଜାମିନ ମିଳିସାରିଛି ।
ଅଧିକ ପଢନ୍ତୁ: କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା: ଗିରଫ ୩ ନିର୍ଦ୍ଦେଶକ ସମେତ ୫ ଜଣଙ୍କୁ ମିଳିଲା ଜାମିନ
ସେପଟେ କିଟ୍ ମାମଲାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । କମିଟିରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମହିଳା ବିଭାଗର ପ୍ରମୁଖ ସଚିବ ଓ ଉଚ୍ଚଶିକ୍ଷା ସଚିବ ସାମିଲ ହୋଇ ଘଟଣାର ନିରପେକ୍ଷ ତଦନ୍ତ କରିବେ । କମିଟି ଗଠନ କରିବା ସହ ଛାତ୍ରୀଛାତ୍ରୀଙ୍କୁ ଘରୋଇ ସୁରକ୍ଷାକର୍ମୀ ମାଡ଼ ମାରିବାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ଉପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଏପଟେ ରିମାଣ୍ଡରେ ଆସିବ ଛାତ୍ରୀ ଆତ୍ମହତ୍ୟା ଘଟଣାର ଅଭିଯୁକ୍ତ। ଆଦଭିକ୍ ଶ୍ରୀବାସ୍ତବକୁ ରିମାଣ୍ଡରେ ଆଣିବା ପାଇଁ ଆଜି କୋର୍ଟରେ ଆବେଦନ କରିବ ପୋଲିସ। ଅଧିକ ପଚରାଉଚରା ପାଇଁ ଅଭିଯୁକ୍ତକୁ ରିମାଣ୍ଡରେ ଆଣିବାକୁ କୋର୍ଟଙ୍କ ନିକଟରେ ଆଜି ଆବେଦନ କରିବ ଇନଫୋସିଟି ଥାନା ପୋଲିସ।