ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଛି । ଚିକିତ୍ସା ପାଇଁ ଗୁରୁବାର ରାତିରେ ତାଙ୍କୁ ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ପେଟ ସମ୍ବନ୍ଧିତ ସମସ୍ୟା କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲ୍ କର୍ତ୍ତୃପକ୍ଷ କହିଛନ୍ତି ଯେ, କୌଣସି ଚିନ୍ତାର କାରଣ ନାହିଁ । ସୋନିଆ ଗାନ୍ଧୀଙ୍କୁ ଶୁକ୍ରବାର ମେଡିକାଲରେ ଛୁଟି ମିଳିପାରେ । ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ଉପରେ ନଜର ରଖିଛନ୍ତି ।
ସାର ଗଙ୍ଗାରାମ ହସ୍ପିଟାଲର ପ୍ରବନ୍ଧନ ବୋର୍ଡର ଅଧ୍ୟକ୍ଷ ଡ. ଅଜୟ ସ୍ୱରୂପଙ୍କ ଅନୁସାରେ ସୋନିଆ ଗାନ୍ଧୀଙ୍କୁ ପେଟ ସଂପର୍କିତ କୌଣସି ସମସ୍ୟା କାରଣରୁ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କୁ ଶୁକ୍ରବାର ସକାଳ ସୁଦ୍ଧା ମେଡିକାଲରୁ ଡିସଚାର୍ଜ କରାଯିବାର ସମ୍ଭାବନା ରହିଛି । ସେ ଗ୍ୟାଷ୍ଟ୍ରୋଏଣ୍ଟରୋଲୋଜ ବିଶେଷଜ୍ଞ ଡ. ସମୀରନ ନନ୍ଦିଙ୍କ ନିରୀକ୍ଷଣରେ ଅଛନ୍ତି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଗତ ବର୍ଷ ଡିସେମ୍ବରରେ ୭୮ ବର୍ଷ ବୟସରେ ପଦାର୍ପଣ କରିଥିଲେ ।
ସୋନିଆ ଗାନ୍ଧୀଙ୍କୁ ଶେଷ ଥର ସାର୍ବଜନୀନ ଭାବେ ଫେବୃଆରୀ ୧୩ରେ ବଜେଟ୍ ଅଧିବେଶନରେ ଦେଖିବାକୁ ମିଳିଥିଲା । ଶୀଘ୍ର ଜନଗଣନା ସାରିବାକୁ ସେ ସରକାରଙ୍କ ନିକଟରେ ଦାବି କରିଥିଲେ । ସେ ଦାବି କରିଥିଲେ ଯେ, ଦେଶରେ ପାଖାପାଖି ୧୪ କୋଟି ଲୋକ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ଅଛନ୍ତି । ରାଜ୍ୟସଭାରେ ଶୂନ୍ୟକାଳରେ ସୋନିଆ କହିଥିଲେ ଯେ, ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷାର ହିତାଧିକାରୀଙ୍କୁ ୨୦୧୧ର ଜନଗଣନା ଅନୁସାରେ ଦିଆଯାଉଛି ।