ବିହାର: ବିହାରରେ ବଡ଼ ଅଘଟଣ । ବିହାରର ରୋହତାସ ଜିଲାର ସାସାରାମରେ ବୋର୍ଡ ପରୀକ୍ଷା ଚାଲିଥିବା ବେଳେ ଘଟିଛି ଅଘଟଣ । ଜଣେ ଦଶମ ଛାତ୍ରଙ୍କୁ ଗୁଳିମାଡ଼ କରି ହତ୍ୟା କରାଯାଇଛି । କପି ରୋକିବାକୁ ନେଇ ଛାତ୍ରଙ୍କୁ ଗୁଳିମାଡ଼ କରାଯାଇଥିବା ବେଳେ ଏହି ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି ।
ଘଟଣା ମୁତାବିକ ପରୀକ୍ଷା କେନ୍ଦ୍ରରେ ଗୁରୁବାର ହିନ୍ଦୀ ପରୀକ୍ଷା ଚାଲିଥିଲା । ଏହି ସମୟରେ କିଛି ଜଣ ଛାତ୍ର ଅନ୍ୟ ଛାତ୍ରଙ୍କ ଉତ୍ତର ଖାତା ଦେଖି କପି କରିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କୁ ଏଭଳି କରିବାକୁ ଦେଇନଥିଲେ ଅନ୍ୟ ଗୋଷ୍ଠୀର କିଛି ଛାତ୍ର । ଯାହାଫଳରେ ଦୁଇ ଗୋଷ୍ଠୀର ଛାତ୍ରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିିତି ସୃଷ୍ଟି ହୋଇଥିଲା । ପ୍ରଥମେ ଏହା ଝଗଡା ଓ ପରେ ହତ୍ୟାର ରୂପ ନେଇଥିଲା । ଗୁଳି ବାଜିବାରୁ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଛାତ୍ର ଏଥିରେ ଆହତ ହୋଇଛନ୍ତି । ମୃତ ଛାତ୍ର ହେଉଛନ୍ତି ଅମିତ କୁମାର । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ଅଧିକ ପଢନ୍ତୁ: ମାଟ୍ରିକ ପରୀକ୍ଷା ଦେବାକୁ ବାହାରିବା ବେଳେ ଟଳିପଡ଼ିଲେ ଛାତ୍ର
ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ସେଠାରେ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଘଟଣାସ୍ଥଳରୁ ଦୀର୍ଘ ୧୦ କିଲୋମିଟର ଯାଏଁ ଭିଡ଼ ଉପୁଜିଛି । ସେପଟେ ଘଟଣାରେ ସମ୍ପୃକ୍ତ ଜଣେ ଛାତ୍ରଙ୍କୁ ଅଟକ ରଖାଯାଇଛି । ପରୀକ୍ଷା କେନ୍ଦ୍ର ପରିସରରେ ୧୪୪ ଧାରା ଲାଗୁ କରାଯାଇଛି । ଏତେ ସୁରକ୍ଷା ସ୍ୱତେ କିଭଳି ସେଠାରେ ଗୁଳିମାଡ଼ ହେଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।