ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଛି ଧାର୍ମିକ ପର୍ବ ମହାକୁମ୍ଭ । ଯେଉଁଠି କୋଟି କୋଟି ଶ୍ରଦ୍ଧାଳୁ ଆସି ଆସ୍ଥାର ବୁଡ଼ ପକାଉଛନ୍ତି । ଏବେ ସେଇ ମହାକୁମ୍ଭରୁ ଆସିଛି ଲଜ୍ଜାଜନକ ଘଟଣା । ସଙ୍ଗମକୁ ଗାଧେଇବାକୁ ଆସୁଥିବା ମହିଳା ଓ ଯୁବତୀଙ୍କ ଫଟୋ ଓ ଭିଡ଼ିଓ ବିକ୍ରି ହେଉଛି । ମହିଳା ମାନେ ବୁଡ଼ ପକାଇବା ବେଳର ଏବଂ ବୁଡ଼ ପକାଇବା ପରେ ପୋଷାକ ବଦଳାଇବା ବେଳର ଦୃଶ୍ୟ ଏବେ ଇଣ୍ଟରନେଟରେ ଭାଇରାଲ ହେଉଛି । ଏନେଇ ସାଙ୍ଘାତିକ୍ ତଥ୍ୟ ଏବେ ସାମ୍ନାକୁ ଆସିଛି ।
ସୂଚନା ଅନୁଯାୟୀ, ମହାକୁମ୍ଭରେ ସ୍ନାନ ପରେ ମହିଳାମାନେ ପୋଷାକ ବଦଳାଉଥିବାର ଫଟୋ ସୋସିଆଲ ସାଇଟ ଟେଲିଗ୍ରାମରେ ୧୯୯୯ ଟଙ୍କାରେ ବିକ୍ରି ହେଉଛି ବୋଲି ଏଫଆଇଆରରେ ଉଲ୍ଲେଖ କରାଯାଇଛି। ସୋସିଆଲ ମିଡ଼ିଆରେ ଶହେରୁ ଅଧିକ ଆକାଉଣ୍ଟରେ ଏହା ବିକ୍ରି ହେଉଛି । ଘଟଣା ସାମ୍ନାକୁ ଆସିବା ପରେ ତତ୍ପର ଦେଖାଇଛି ଉତ୍ତରପ୍ରଦେଶ ପୋଲିସ । ଏହି ମାମଲାକୁ ଗମ୍ଭୀରତାର ସହ ନେଇ ପୋଲିସ ମହାକୁମ୍ଭ ଅଞ୍ଚଳର କୁମ୍ଭ କୋତୱାଲି ଥାନାରେ ୧୧ଟି ସୋସିଆଲ ମିଡିଆ ଚ୍ୟାନେଲ ବିରୋଧରେ ଏଫଆଇଆର ରୁଜୁ କରିଛି। ୧୦୧ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଭିଡ଼ିଓକୁ ହଟାଇବା ପାଇଁ ମେଟା ସଂସ୍ଥାର ସହଯୋଗ ନିଆଯାଉଛି ।
ଅଧିକ ପଢନ୍ତୁ:ପରୀକ୍ଷାରେ କପି ପାଇଁ ହେଲା ଗୁଳିମାଡ଼; ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ, ଗୁଳିମାଡ଼ରେ ଜଣେ ଦଶମ ଶ୍ରେଣୀ ଛାତ୍ର ମୃତ
ମହାକୁମ୍ଭରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ବୁଡ଼ ପକାଉଛନ୍ତି । ବର୍ତ୍ତମାନ ସୁଦ୍ଧା ୫୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇ ସାରିଲେଣି । ଏହାରି ଭିତରେ କେତେ ଭିଡ଼ିଓ ସୁଟ୍ ହୋଇଛି ତାହା କଳ୍ପନା ବାହାରେ, ଯାହା ୟୁପି ପୋଲିସର ଚିନ୍ତା ବଢାଇଛି ।