ଉତ୍ତରପ୍ରଦେଶ: ଯୌତୁକ ୧୦ ଲକ୍ଷ ଓ କାର ମିଳିଲାନି ବୋଲି ସ୍ତ୍ରୀକୁ ବଳପୂର୍ବକ ଏଚ୍ଆଇଭି ଇଞ୍ଜେକ୍ସନ ଦେଲା ସ୍ବାମୀ । ୟୁପିର ସାହାରନପୁର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଏନେଇ ମହିଳାଙ୍କ ବାପା ଅଭିଯୋଗ କରିବା ପରେ କୋର୍ଟଙ୍କ ନିର୍ଦ୍ଦେଶରେ ଏକ ମାମଲା ରୁଜୁ କରାଯାଇଛି।
ସୂଚନା ଅନୁଯାୟୀ ମହିଳାଙ୍କ ବିବାହ ସମୟରେ ତାଙ୍କ ବାପା ଯୌତୁକ ବାବଦକୁ ନଗଦ ୧୫ ଲକ୍ଷ ଟଙ୍କା, ଏକ କାର୍ ଦେଇଥିଲେ। ତଥାପି ଶାଶୁ ଘର ଲୋକେ ଆଉ ୧୦ ଲକ୍ଷ ଟଙ୍କା ସହ ବଡ଼ କାର ଦାବି କରିଥିଲେ। ଠିକ୍ ସମୟରେ ଦେଇ ନପାରିବାରୁ ମହିଳାଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦିଆଯାଇଥିଲା।
ତେବେ ଏନେଇ ଶୁଣାଣି ସମୟରେ କୋର୍ଟରେ ପୀଡିତାଙ୍କ ବାପା ବୟାନ ଦେଇ କହିଛନ୍ତି, ଝିଅ ବାରମ୍ବାର ଅସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଯାହାପରେ ମହିଳା ଜଣକ ଏଚଆଇଭି ପଜିଟିଭ୍ ବୋଲି ଜଣାପଡିଥିଲା। ଏହି ଘଟଣାକୁ ନେଇ ପୀଡିତାଙ୍କ ବାପା-ମାଆ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଅଭିଯୋଗ ପରେ ଘଟଣାକୁ ଗୁରୁତର ସହ ନେଇଛି ପୋଲିସ । ଏନେଇ ସାହାରନପୁର ଏସପି କହିଛନ୍ତି, “ପିଡିତା ସାହାରନପୁରର ବାସିନ୍ଦା। ଏହି ଘଟଣାରେ ତାଙ୍କ ସ୍ୱାମୀ, ଦିଅର, ଭାଉଜ, ନଣନ୍ଦ ଏବଂ ଶାଶୁଙ୍କ ବିରୋଧରେ ଆଇପିସି ଧାରା ୩୦୭, ୪୯୮ଏ, ୩୨୩, ୩୨୮, ୪୦୬ ଯୌତୁକ ଧାରା ଅନୁଯାୟୀ ଗଙ୍ଗୋହ ଥାନାରେ ଏକ ଏଫଆଇଆର ଦାଖଲ କରିଛୁ।
ଅଧିକ ପଢନ୍ତୁ: ୧୧ ମହଲା ବିଲ୍ଡିଂରେ ଲାଗିଲା ନିଆଁ; ଅଗ୍ନିକାଣ୍ଡରେ ଗଲା ୨ ମହିଳାଙ୍କ ଜୀବନ
ଝିଅର ବାପାଙ୍କ କହିବା ମୁତାବିକ, ସେ ତାଙ୍କ ଝିଅଙ୍କୁ ୧୫ ଫେବୃୟାରୀ, ୨୦୨୩ରେ ଉତ୍ତରାଖଣ୍ଡର ହରିଦ୍ୱାରର ନାଥିରାମ ସାଇନିଙ୍କ ପୁଅ ଅଭିଷେକ ଓରଫ ସଚିନଙ୍କ ସହ ବିବାହ କରିଥିଲେ। ବିବାହରେ ପ୍ରାୟ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଯାହାପରେ ସେମାନେ ଆଉ ଅଧିକ ଯୌତୁକ ଦାବି କରିଥିଲେ। ଝିଅକୁ ପ୍ରଥମେ ଯୌତୁକ ଭାବରେ ଏକ କାର ଏବଂ ୧୫ ଲକ୍ଷ ଟଙ୍କା ନଗଦ ଦିଆଯାଇଥିଲା। ଏହା ସତ୍ତ୍ୱେ, ଶ୍ୱଶୁର ଘର ଲୋକେ ଖୁସି ନଥିଲେ ଏବଂ କିଛି ଦିନ ପରେ ସେମାନେ ଏକ ସ୍କୋର୍ପିଓ SUV କାର ଏବଂ ୨୫ ଲକ୍ଷ ଟଙ୍କା ଦାବି କରିବାକୁ ଲାଗିଲେ ବୋଲି ଅଭିଯୋଗରେ କୁହାଯାଇଛି।