ଭୁୁବନେଶ୍ୱର: କିଟ୍ ବିଶ୍ୱ ବିଦ୍ୟାଳୟରେ ନେପାଳର ଜଣେ ଛାତ୍ରୀଙ୍କ ମୃତ୍ୟୁ ମାମଲାରେ ମଙ୍ଗଳବାର ଅପରାହ୍ଣରେ ଗିରଫ ୩ ନିର୍ଦ୍ଦେଶକଙ୍କ ସମେତ ୫ ଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି ଭୁବନେଶ୍ୱର ଜେଏମଏଫସି-୨ କୋର୍ଟ । ଗିରଫ ହେବାର କେଇ ସମୟରେ ସଭିଙ୍କୁ ଜାମିନ ମିଳି ଯାଇଛି । ଅଦାଲତ ନିର୍ଦ୍ଦେଶକ ଶିବାନନ୍ଦ ମିଶ୍ର, ପ୍ରତାପ ଚମ୍ପତ୍ତି, ସୁଧୀର ରଥଙ୍କ ସହ ସିକ୍ୟୁରିଟି ଗାର୍ଡ ରମାକାନ୍ତ ନାୟକ ଓ ଯୋଗେନ୍ଦ୍ର ବେହେରାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।
ଇନ୍ଫୋସିଟି ଥାନା ପୁଲିସ ଆଜି କିଟ୍ ବିଶ୍ବବିଦ୍ୟାଳୟର ମାନବ ସମ୍ବଳ ନିର୍ଦ୍ଦେଶକ ଶିବାନନ୍ଦ ମିଶ୍ର, ପ୍ରଶାସନିକ ନିର୍ଦ୍ଦେଶକ ପ୍ରତାପ ଚମ୍ପତି, ହଷ୍ଟେଲ ନିର୍ଦ୍ଦେଶକ ସୁଧୀର ରଥ, ସୁରକ୍ଷାକର୍ମୀ ରମାକାନ୍ତ ନାୟକ ଓ ଯୋଗେନ୍ଦ୍ର ବେହେରା ଗିରଫ କରିଥିଲା। ପୁଲିସ ଏମାନଙ୍କୁ କୋର୍ଟ ଚାଲାଣ କରିଥିଲା।
କିଟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଭୁବନେଶ୍ୱରଠୁ ନେଇ ନେପାଳ ପର୍ଯ୍ୟନ୍ତ ଉଠୁଛି ପଡୁଛି । ମଙ୍ଗଳବାର ଏହି ଘଟଣାକୁ ନେଇ ବିଧାନସଭା ବେଶ ସରଗରମ ରହିଥିଲା । ରାଜ୍ୟ ସରକାର ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ନିଜ ଆଡୁ ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଛନ୍ତି । ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି ।
ଉାମଲାରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ହସ୍ତକ୍ଷେପ କରିବା ସହିତ ନୂଆଦିଲ୍ଲୀରେ ଅବସ୍ଥାପିତ ନେପାଳ ଦୂତାବାସର ଦୁଇ ଜଣ ଅଧିକାରୀଙ୍କୁ ଓଡିଶା ପଠାଇଛନ୍ତି । ଏହି ଘଟଣାରେ କିଟ୍ କର୍ତ୍ତୃପକ୍ଷ ଭୁଲ୍ ମାଗିଥିଲେ ହେଁ, କଲେଜରୁ ବଳପୂର୍ବକ ବାହାର କରାଯାଇଥିବା ଛାତ୍ର-ଛାତ୍ରୀ ବର୍ତ୍ତମାନ ସ୍ଥିତିରେ କଲେଜକୁ ଫେରିବାକୁ ପ୍ରସ୍ତୁତ ନ ଥିବା କହିଛନ୍ତି ।
କିଟ୍ ବିଶ୍ବବିଦ୍ୟାଳୟରେ ଛାତ୍ରୀ ମୃତ୍ୟୁ ମାମଲା କେବଳ ରାଜ୍ୟ ଭିତରେ ସୀମିତ ନାହିଁ। ଏହି ଖବର ନେପାଳରେ ମଧ୍ୟ ପହଞ୍ଚିଛି। ଛାତ୍ରଛାତ୍ରୀମାନେ ଆଜି ବିଶ୍ବବିଦ୍ୟାଳୟ ସମ୍ମୁଖରେ ପ୍ଲାକାର୍ଡ ଧରି ପୀଡିତାଙ୍କୁ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି। ଶତାଧିକ ଛାତ୍ରଛାତ୍ରୀମାନେ ଆଜି କ୍ୟାଣ୍ଡେଲ ଶୋଭାଯାତ୍ରା କରିଛନ୍ତି।
ଏହି ଘଟଣାରେ ଆତ୍ମହତ୍ୟା କରିଥିବା ଛାତ୍ରୀ ହେଉଛନ୍ତି ୧୯ ବର୍ଷୀୟ ପ୍ରକୃତି ଲାମସା । ଆଜି ଏମ୍ସରେ ଶବ ବ୍ୟବଚ୍ଛେଦ ପରେ ତାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଘଟଣାରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ତଦନ୍ତ ବେଳେ ଯେଉଁ ତଥ୍ୟ ମିଳିଲା, ଏହି କଥାକୁ ଆହୁରି ପରୀକ୍ଷା ନିରୀକ୍ଷା କରାଯିବାର ଆବଶ୍ୟକତା ରହିଛି। ଏଥି ପାଇଁ ଉଚ୍ଚସ୍ତରୀୟ କମଟ ଗଠନ କରାଯାଇଛି। କିଟ୍ରେ କେଉଁ କାରଣରୁ ସାଇନ୍ ଡାଏନ ଘୋଷଣା କରାଗଲା। ଏହା ପଛରେ କାରଣ କ’ଣ ରହିଛି? ନେପାଳର ଛାତ୍ରଛାତ୍ରୀମାନଙ୍କୁ କାହିଁକି କଟକ ଷ୍ଟେସନରେ ଛଡ଼ାଗଲା? ଏହି ନିଷ୍ପତ୍ତି ନେବା ପୂର୍ବରୁ କିଟ୍ କର୍ତ୍ତୃପକ୍ଷଙ୍କ ତରଫରୁ ଶିକ୍ଷା ବିଭାଗ ଓ ଗୃହ ବିଭାଗକୁ କାହିଁକି ଜଣାଇଲା ନାହିଁ ସେ ସବୁର ତଦନ୍ତ କରାଯିବ । ନେପାଳୀ ଛାତ୍ର-ଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଛି । ଛାତ୍ର-ଛାତ୍ରୀଙ୍କ ସହ ଯୋଗାଯୋଗ କରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି ।