କଟକ: ତାଳଦଣ୍ଡା କେନାଲ ନିକଟରୁ ଏକ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । କଟକ ରାଣୀହାଟ ତାଳଦଣ୍ଡା କେନାଲ ପୋଲ ନିକଟ ଏକ ବିଦ୍ୟୁତ୍ ଖୁଣ୍ଟରେ ଜଣେ ଅଜଣା ଯୁବକଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ମିଳିଛି । ତେବେ ଘଟଣାଟି ଗତକାଲି ବିଳମ୍ବିତ ରାତ୍ରିର ବୋଲି ସନ୍ଦେହ କରାଯାଉଛି । ରବିବାର ସକାଳେ ଏହି ଘଟଣା ଲୋକଲୋଚନକୁ ଆସିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ଏହା ହତ୍ୟା କିମ୍ବା ଆତ୍ମହତ୍ୟା ତାହା ସନ୍ଦେହଘେର ମଧ୍ୟରେ ରହିଛି । ଯୁବକ ଜଣଙ୍କ ଏହି ସ୍ଥାନକୁ କିପରି ଆସିଲେ ଓ ତାଙ୍କ ମୃତ୍ୟୁ କିପରି ଘଟିଲା ସେ ସଂକ୍ରାନ୍ତରେ ପୋଲିସ ତଦନ୍ତ ଆରମ୍ଭ କରିଛି ।